ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଭିଜ୍ଞଙ୍କୁ ଆମନ୍ତ୍ରଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୮ା୩(ବ୍ୟୁରୋ): କରୋନା ସଂକ୍ରମଣ ମାନବ ସଭ୍ୟତା ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସବୁସ୍ତରରେ ଉଦ୍ୟମ ଜାରି ରଖିଛନ୍ତି। ଏ ପରିସ୍ଥିତିରେ ଉଚ୍ଚ ମାନର ପେସାଗତ କାର୍ଯ୍ୟର ଆବଶ୍ୟକତା ରହିଥିବା ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଛନ୍ତି। ବରିଷ୍ଠ ପେସାଗତ ବ୍ୟକ୍ତିବିଶେଷ ଏହି ପରିସ୍ଥିତିରେ ସହଯୋଗ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ସ୍ବାସ୍ଥ୍ୟସେବା, ହସ୍ପିଟାଲ ଭିତ୍ତିଭୂମି ଏବଂ ପରିଚାଳନା ଇତ୍ୟାଦିରେ ପ୍ରବୀଣ ଥିବା ବୃହତ୍‌ କର୍ପୋରେଟ ସଂସ୍ଥା ଏଥିପାଇଁ ଆଗେଇ ଆସିବା ଉଚିତ। ସେମାନେ ଏହି ସ୍ବାସ୍ଥ୍ୟ ସଙ୍କଟର ମୁକାବିଲା କରିବା ପାଇଁ ଅନ୍ତର୍ଜାତୀୟସ୍ତରର ଲଜିଷ୍ଟିକ୍‌, ସ୍ବାସ୍ଥ୍ୟ ସାମଗ୍ରୀ ଏବଂ ମାନବ ସମ୍ବଳ ଯୋଗାଇ ପାରୁଥିବା ସଂସ୍ଥା ତଥା ବିଶେଷଜ୍ଞ ମୁଖ୍ୟ ଶାସନ ସଚିବଙ୍କୁ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ସେହିଭଳି କୌଣସି ବ୍ୟକ୍ତିବିଶେଷ ସରକାରଙ୍କ ସ୍ବେଚ୍ଛାକୃତ ପରାମର୍ଶଦାତା ଭାବେ ଆସିବାକୁ କୁହାଯାଇଛି। ଆଗ୍ରହୀ ବ୍ୟକ୍ତିବିଶେଷ ମୁଖ୍ୟଶାସନ ସଚିବଙ୍କ ଓଏସ୍‌ଡି (COVID-19) ବିଶାଲ ଦେବଙ୍କ କାର୍ଯ୍ୟାଳୟକୁ ଯୋଗାଯୋଗ ପାଇଁ କୁହାଯାଇଛି। ଜାରି ହୋଇଥିବା ଫୋନ ନମ୍ବର ହେଉଛି, ୦୬୭୪-୨୫୩୬୭୨୭, ଫ୍ୟାକ୍ସ ନମ୍ବର, ୦୬୭୪-୨୩୯୬୩୪୮ ଏବଂ ଇମେଲ୍‌ ଠିକଣା ହେଉଛି- vishal.k.dev@gmail.com.