ସ୍ବାସ୍ଥ୍ୟକେନ୍ଦ୍ରରେ ସୁଧୁରୁନି ସେବା

ପରଜଙ୍ଗ, ୧୫ା୧୦(ଡି.ଏନ.ଏ.)ଦୀର୍ଘ ଦିନ ହେବ ବିଭିନ୍ନ ସମସ୍ୟା ଘେରରେ ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଡାକ୍ତର କର୍ମଚାରୀଙ୍କ ଅଭାବ, ନିଯୁକ୍ତ ଡାକ୍ତରଙ୍କ ମନମୁଖି ସେବା, ଆବଶ୍ୟକ ଶଯ୍ୟା ଅଭାବ, ପାନୀୟ ଜଳ ବ୍ୟବସ୍ଥା ନ ଥିବା ଭଳି ବହୁ ସମସ୍ୟା ଲାଗି ରହିଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ଲୋକେ ବହୁ ହଇରାଣ ହେଉଛନ୍ତି। ସ୍ବାସ୍ଥ୍ୟସେବାରେ ତୁରନ୍ତ ସୁଧାର ଆଣିବାକୁ ଦାବି କରି ସୋମବାର ସ୍ଥାନୀୟ ଇଗଲ କ୍ଲବ ତରଫରୁ ୯ ଦଫା ସମ୍ବଳିତ ଦାବିପତ୍ର ସିଡିଏମଓଙ୍କୁ ପ୍ରଦାନ କରାଯାଇଛି। ମାସେ ମଧ୍ୟରେ ଦାବି ପୂରଣ ନ ହେଲେ ଡାକ୍ତରଖାନା ପରିସରରେ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଅଭିଯୋଗ ମୁତାବକ, ପରଜଙ୍ଗ ବ୍ଲକରେ ଗୋଟିଏ ସ୍ବାସ୍ଥ୍ୟକେନ୍ଦ୍ର ଥିବା ବେଳେ ସେଠାରେ ୨ ଜଣ ଏମବିବିଏସ ଡାକ୍ତର ନିଯୁକ୍ତ ହୋଇଛନ୍ତି। ଏଥିସହ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ୪ ଜଣ ଆୟୁଷ ଡାକ୍ତର ପାଳିକରି କାର୍ଯ୍ୟ କରୁଛନ୍ତି। ଫଳରେ ଡାକ୍ତର ଅଭାବରୁ ଅନେକ ସମୟରେ ରୋଗୀ ଚିକିତ୍ସା ନ ପାଇ ହଇରାଣ ହେଉଛି। ତେଣୁ ତୁରନ୍ତ ଆବଶ୍ୟକ ଡାକ୍ତର ନିଯୁକ୍ତ ଦେବା, ବହିର୍ବିଭାଗରେ ୨୪ ଘଣ୍ଟିଆ ସେବା, ବିଭିନ୍ନ ଟେଷ୍ଟର ସୂଚନା ଫଳକ ଲଗାଯିବା, ନୂତନ ଶଯ୍ୟା ପକାଯିବା, ଏକ୍ସ-ରେ ମେଶିନ ସୁବିଧା ଉପଲବ୍ଧ କରାଯିବା, ରୋଗୀମାନଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ ପାଇଁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନବେଳେ କ୍ଲବ କର୍ମକର୍ତ୍ତା ଶୁଭେନ୍ଦୁ ଦଳବେହେରା, ସଚ୍ଚିଦାନନ୍ଦ କବି, ଚନ୍ଦନ ବିଶ୍ୱାଳ, ସ୍ମୃତିରଞ୍ଜନ ଦଳବେହେରା, ସନ୍ଦୀପ ସାହୁ, ରାଜେଶ ମିଶ୍ର, ଭଗବାନ ସାହୁ, ବଦ୍ରିନାରାୟଣ ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ।