ସ୍ବାମୀଙ୍କ ଚିକିତ୍ସା ପାଇଁ ସ୍ତ୍ରୀ, ଝିଅଙ୍କ ଗୁହାରି

ବରଗଡ଼ ଅଫିସ୍‌,୧୬।୭
ବରଗଡ଼ ସହର ଉପକଣ୍ଠ ଖଲିଆପାଲି ଗ୍ରାମରୁ ଅସୁସ୍ଥ ତଥା ଶଯ୍ୟାଶାୟୀ ସ୍ବାମୀ ବଲ୍ଲଭ ମେହେରଙ୍କୁ ଏକ ଅଟୋରେ ଧରି ଚିକିତ୍ସା ସହାୟତା ପାଇଁ ସୋମବାର ସ୍ତ୍ରୀ ଚିତ୍ରା ଓ ତାଙ୍କ ଝିଅ ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି ।
ପ୍ରକାଶ ଯେ, ବଲ୍ଲଭ ଦିନ ମଜୁରିଆ । ସେ କୁଲି ମଜୁରୀ କରି ପରିବାର ପୋଷଣ କରୁଥିଲେ । ଗତ ୪ମାସ ତଳେ ବରଗଡ଼ ସହରର ବାନ୍ଦୁଟିକ୍ରାର ଏକ ଘର ନିର୍ମାଣ କାମରେ ନିୟୋଜିତ ଥିବାବେଳେ ସେ ଛାତ ଉପରୁ ପଡ଼ି ଯାଇଥିଲେ । ସେହିଦିନଠାରୁ ସେ ଗୁରୁତର ଆହତ ହୋଇ ପଡ଼ିଛନ୍ତି । ତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । କଟକରୁ ଚିକିତ୍ସିତ ହୋଇ ସେ ଘରକୁ ଫେରିଥିଲେ । ମାତ୍ର ଏପର୍ଯ୍ୟନ୍ତ ଆରୋଗ୍ୟ ହୋଇ ପାରି ନାହାନ୍ତି । ତାଙ୍କର ଅସ୍ତ୍ରୋପଚାରର ଆବଶ୍ୟକତା ଅଛି ବୋଲି ଡାକ୍ତରମାନେ କହିଛନ୍ତି । ମାତ୍ର ଏଥିପାଇଁ ବଲ୍ଲଭଙ୍କ ପରିବାର ଲୋକଙ୍କୁ ଅର୍ଥ ପ୍ରତିବନ୍ଧକ ସାଜିଛି । ବଲ୍ଲଭଙ୍କ ପୁଅ କ୍ରିଷ୍ଣା ନବମ ଶ୍ରେଣୀରେ ପଢ଼ୁଥିବାବେଳେ ଝିଅ ଆଶା ସପ୍ତମ ଓ ଅଙ୍କିତା ପଞ୍ଚମରେ ପଢ଼ୁଛନ୍ତି । ବଲ୍ଲଭ ଶଯ୍ୟାଶାୟୀ ଥିବା ଯୋଗୁ ପରିବାର ଲୋକେ ସମ୍ପୂର୍ଣ୍ଣ ବେରୋଜଗାରକ୍ଷମ ହୋଇ ପଡ଼ିଛନ୍ତି । ଚିତ୍ରାଙ୍କ ଉପରେ ପରିବାର ବୋଝ ପଡ଼ିଛି । ସ୍ବାମୀଙ୍କ ଚିକିତ୍ସା ସାଙ୍ଗକୁ ଝିଅପୁଅଙ୍କ ପାଠପଢ଼ା ନେଇ ଚିତ୍ରା ଚିନ୍ତିତ ହୋଇ ପଡ଼ିଛନ୍ତି ଏବଂ ଜିଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଗଲେ ତାଙ୍କ ପରିବାର ଲୋକେ ଉପକୃତ ହେବେ ବୋଲି ଆଶା ବାନ୍ଧିଛନ୍ତି । ଏହି ଆଶା ନେଇ ଚିତ୍ରା ସ୍ବାମୀଙ୍କୁ ଧରି ଜିଲାପାଳ ଅଫିସ ଆସିଥିଲେ । ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅନୁପସ୍ଥିତିରେ ବରଗଡ଼ ତହସିଲଦାର ସବ୍ୟସାଚୀ ପଣ୍ଡା ଓ ରେଡ଼କ୍ରସର ସମ୍ପାଦକ ପ୍ରଫୁଲ୍ଲ କୁମାର ବେହେରା ଚିତ୍ରା ଓ ତାଙ୍କ ସ୍ବାମୀଙ୍କୁ ଭେଟି ଚିକିତ୍ସା ସହାୟତା ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।