ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ବର୍ବରକାଣ୍ଡ: ପୋଲିସ ଇନଫର୍ମର ଦର୍ଶାଇ ଜଣଙ୍କୁ ହତ୍ୟା

ଚିତ୍ରକୋଣ୍ଡା,୨୫।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ପୁଣି ବର୍ବରକାଣ୍ଡ ଘଟାଇଛନ୍ତି ମାଓବାଦୀ। ପୋଲିସ ଇନଫର୍ମର ଦର୍ଶାଇ ଚିତ୍ରକୋଣ୍ଡା ବ୍ଲକ ଯୋଡ଼ାମ୍ବ ଗ୍ରାମ ନିକଟବର୍ତ୍ତୀ ଖଜୁରିଗୁଡ଼ା ଜଙ୍ଗଲର ବିହନଗୁଡ଼ା ଛକ ନିକଟରେ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସେ ହେଲେ ଯୋଡ଼ାମ୍ବ ଗ୍ରାମର ଦୀନବନ୍ଧୁ ବେପାରୀ। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ସୂଚନାନୁଯାୟୀ, ଦୀନବନ୍ଧୁ ଅଞ୍ଚଳର ସାପ୍ତାହିକ ହାଟରେ ବ୍ୟବସାୟ କରନ୍ତି। ସୋମବାର ପରିବାର ସହ ସେ ଯୋଡ଼ାମ୍ବରୁ ପଣସପୁଟ ଯାଉଥିଲେ। ରାସ୍ତାରେ ମାଓବାଦୀ କିଛି କାମଥିବା କହି ତାଙ୍କୁ ଡାକି ନେଇଥିଲେ। ପରିବାର ଲୋକେ ଏହି ଘଟଣାକୁ ବିଶେଷ ଗୁରୁତ୍ୱ ନ ଦେଇ ଘରକୁ ଚାଲି ଯାଇଥିଲେ। ହେଲେ ଦୀନବନ୍ଧୁ ଆଉ ଘରକୁ ଫେରି ନ ଥିଲେ। ମଙ୍ଗଳବାର ବିହନଗୁଡ଼ା ଜଙ୍ଗଲରେ ତାଙ୍କ ମୃତଦେହ ପଡ଼ିଥିବା ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ମୃତଦେହ ଉଦ୍ଧାର କରିବା ସହ ମାଓବାଦୀମାନେ ତାଙ୍କୁ ଗୁଳିକରି ହତ୍ୟା କରିଥିବା ସେମାନେ କହିଛନ୍ତି। ଘଟଣାକୁ ଦୁଇଦିନ ବିତି ଯାଇଥିଲେ ସୁଦ୍ଧା ତାଙ୍କୁ ଉଦ୍ଧାର କରିବା ଲାଗି କେହି ବିଭାଗୀୟ ଅଧିକାରୀ ପହଞ୍ଚି ନ ଥିଲେ। ଯୋଡ଼ାମ୍ବ ବିଏସ୍‌ଏଫ୍‌ କ୍ୟାମ୍ପଠାରୁ ମାତ୍ର ୪ କିଲୋମିଟର ଦୂରରେ ଏହି ଘଟଣା ଘଟିଛି। ଏ ସମ୍ପର୍କରେ ପୋଲିସକୁ ପଚରା ଯିବାରୁ ସେ ମୁହଁ ଖୋଲି ନ ଥିବା ଜଣାପଡିଛି।