ସ୍ବର୍ଗଦ୍ୱାରରେ ନାଟ୍ୟକାର ବିଜୟ ମିଶ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ ଅଫିସ, ୨୭ା୪: ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର, ସଂଳାପ ଲେଖକ ତଥା ନାଟ୍ୟକାର ଡ. ବିଜୟ ମିଶ୍ରଙ୍କ ଶେଷକୃତ୍ୟ ସୋମବାର ସ୍ବର୍ଗଦ୍ୱାରରେ ସମ୍ପନ୍ନ ହୋଇଛି। ଅପରାହ୍ନରେ ତାଙ୍କ ମରଶରୀର ପୁରୀରେ ପହଞ୍ଚତ୍ବା ପରେ ପ୍ରଥମେ ଅନ୍ନପୂର୍ଣ୍ଣା ଥିଏଟର ପରିସରକୁ ନିଆଯାଇଥିଲା। ସେଠାରେ ଥିଏଟର କଳାକାରଙ୍କ ସମେତ ରଙ୍ଗଶାଳା ଓ ପୁରୀ ଡ୍ୟାନ୍ସ ଏକାଡେମୀର କଳାକାରମାନେ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ସ୍ବର୍ଗଦ୍ୱାରକୁ ମରଶରୀର ନିଆଯାଇଥିଲା। ସେଠାରେ ପ୍ରଶାସନିକ ଅଧିକାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସ୍ବର୍ଗତ ମିଶ୍ରଙ୍କ ବଡ ପୁଅ ଅନୁପମ ମିଶ୍ର ମୁଖାଗ୍ନି ଦେଇଥିଲେ। ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଆଡିଶନାଲ ଏସ୍‌ପି ଶାନ୍ତନୁ ଦାଶ, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ରିଜର୍ଭ ଇନ୍ସପେକ୍ଟର ଚନ୍ଦ୍ରଶେଖର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଥାଉ କି, ଭୁବନେଶ୍ୱରର ଏକ ନର୍ସିଂହୋମ୍‌ରେ ରବିବାର ଡ. ମିଶ୍ରଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା।