ସ୍ବପ୍ନ ସତ ହେଲା

ନାଟ୍ୟକାର, ନିର୍ଦ୍ଦେଶକ ତଥା ଅଭିନେତା ପ୍ରଦୀପ ବିଶ୍ୱାଳ। ହିନ୍ଦୁ-ମୁସ୍‌ଲିମ ଭାଇଚାରାକୁ ନେଇ ନିଜେ ରଚନା କରିଥିବା ଏବଂ ନିର୍ଦ୍ଦେଶନା ଦେଇଥିବା ତଥା ଅନ୍ୟତମ ଅଗ୍ରଣୀ ଥିଏଟର ନାଟ୍ୟାନୁଷ୍ଠାନ ‘ଶ୍ୱେତପଦ୍ମା’ ଦ୍ୱାରା ପରିବେଷିତ ମଞ୍ଚ ନାଟକ ‘ଜୀନତ’ର ସଫଳତା ତାଙ୍କ ପାଇଁ ଆଉ ଏକ ସ୍ମରଣୀୟ ଘଟଣା। କେବଳ ଏହି ନାଟକ ନୁହେଁ, ନିଜ ରଚିତ ଏବଂ ନିର୍ଦ୍ଦେଶିତ ‘ଅର୍ଦ୍ଧସତ୍ୟ’ ମଧ୍ୟ ଥିଏଟରପ୍ରେମୀଙ୍କୁ ଦେଇଛି ଏକ ଭିନ୍ନ ଧରଣର ମନୋରଞ୍ଜନ। ପ୍ରଦୀପଙ୍କର ୩୫ ବର୍ଷର ମଞ୍ଚ ନାଟକ କ୍ୟାରିୟର ଭିତରେ ସେ ୮୦ଟି ନାଟକରେ ଅଭିନୟ କରିସାରିଲେଣି। ଖାସ୍‌ କଥା ହେଲା, ତାଙ୍କ ରଚିତ ପ୍ରତିଟି ନାଟକରେ ଖଳନାୟକ ଚରିତ୍ରକୁ ସେ ଆଦୌ ସ୍ଥାନ ଦେଇ ନ ଥାଆନ୍ତି। ଏ ସମ୍ପର୍କରେ ପ୍ରଦୀପ କହନ୍ତି, ”ମୋର ଦୁଇଟି ନାଟକ-‘ଜୀନତ ଏବଂ ଅର୍ଦ୍ଧସତ୍ୟ’ର ସଫଳତାର ଶ୍ରେୟ ମୁଁ ଦର୍ଶକଙ୍କୁ ଦେବି। ଏଥିରେ ଅଭିନୟ କରିଥିବା କଳାକାର ଯେଉଁ ପରିଶ୍ରମ କରିଛନ୍ତି, ତାହାର ଫଳ ମିଳିଛି ଏବଂ ମୋର ସ୍ବପ୍ନ ସାର୍ଥକ ହୋଇଛି। ନାଟକ ଦ୍ୱୟ ଏବେ ରାଉରକେଲାରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ଥିଏଟର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଶଂସିତ ହୋଇଛି। ନାଟକଟିଏ ଲେଖିବା ସମୟରେ ମୁଁ ସବୁବେଳେ ଆମ ସମାଜରେ ଘଟୁଥିବା ସାମ୍ପ୍ରତିକ ଘଟଣାବଳୀକୁ ସ୍ଥାନ ଦେଇଥାଏ। ଏଥିରେ ସମାଜ ପାଇଁ ଅନେକ ଭଲ ସନ୍ଦେଶ ରହିଥାଏ। ମଞ୍ଚ ନାଟକକୁ ନୂଆ ରୂପ ଦେବାକୁ ମୁଁ ଚେଷ୍ଟା ଜାରି ରଖିଛି। ମୋ ପ୍ରତି ଥିବା ଦର୍ଶକଙ୍କ ଭଲପାଇବା ପାଇଁ ସେମାନଙ୍କ ନିକଟରେ ମୁଁ ଚିର ଋଣୀ।“

Share