Categories: ଜାତୀୟ

ସ୍ବଦେଶ ଫେରିବେ ୧୯୩ ପାକ୍‌ ନାଗରିକ

ନୂଆଦିଲ୍ଲୀ, ୨ା୫: ପ୍ରାଣଘାତୀ କରୋନା ଭାଇରସ୍‌ର ତାଣ୍ଡବ ଜାରି ରହିଛି। ଏଥିଲାଗି ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ମହାମାରୀରୁ ବର୍ତ୍ତିବା ଲାଗି ଯୋଜନା ପ୍ରସ୍ତୁତ ହେଉଛି। ତେବେ ଭାରତରେ ଫସି ରହିଥିବା ୧୯୩ ପାକିସ୍ତାନ ନାଗରିକଙ୍କୁ ସ୍ବଦେଶ ଫେରିଯିବା ଲାଗି କେନ୍ଦ୍ର ସରକାର ଶନିବାର ଅନୁମତି ପ୍ରଦାନ କରିଛନ୍ତି। ମେ ୫ରେ ଏହି ନାଗରିକମାନେ ପାକିସ୍ତାନ ଫେରିଯିବେ। ଏଥିଲାଗି ୧୦ ରାଜ୍ୟ ସହଯୋଗ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।
କରୋନା ଯୋଗୁ ଅଟକି ରହିଥିବା ପାକ୍‌ ନାଗରିକଙ୍କୁ ଓ୍ବାଘା ସୀମା ପର୍ଯ୍ୟନ୍ତ ଯିବା ଲାଗି ରାଜ୍ୟଗୁଡ଼ିକ ସହଯୋଗ କରିବାକୁ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୧୦ ରାଜ୍ୟର ୨୫ ଜିଲାରେ ଏମାନେ ରହୁଛନ୍ତି। ମଙ୍ଗଳବାର ପୂର୍ବରୁ ସୀମା ପର୍ଯ୍ୟନ୍ତ ଯିବା ଲାଗି ରାଜ୍ୟ ପୋଲିସ ମୁଖ୍ୟ ବ୍ୟବସ୍ଥା କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ପାକିସ୍ତାନ ଯିବା ପୂର୍ବରୁ ସମସ୍ତଙ୍କ ସ୍କ୍ରିନିଂ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। ପାକିସ୍ତାନ ହାଇ କମିଶନ ପକ୍ଷରୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପାକିସ୍ତାନ ନାଗରିକଙ୍କୁ ଫେରିବା ସୁବିଧା ଯୋଗାଇ ଦେବା ଲାଗି ଭାରତକୁ ଅନୁରୋଧ କରାଯାଇଥିବା ଜଣାପଡ଼ିଛି। ଗତ ଏପ୍ରିଲ ମାସରେ ମଧ୍ୟ ଭାରତରେ ଅଟକି ରହିଥିବା କିଛି ପାକ୍‌ ନାଗରିକଙ୍କୁ ଫେରିଯିବା ଲାଗି ସୁବିଧା ଯୋଗାଇ ଦିଆଯାଇଥିଲା।

Share