ସ୍ବତନ୍ତ୍ର କୋଭିଡ-୧୯ ହସ୍‌ପିଟାଲ ଲାଗି ପ୍ରସ୍ତାବ

ଭୁବନେଶ୍ୱର, ୨୬ା୩(ବ୍ୟୁରୋ): ରାଜ୍ୟରେ କରୋନା ଭୂତାଣୁ (କୋଭିଡ୍‌-୧୯)କୁ ରୋକିବା ଓ ସଂକ୍ରମିତ ରୋଗୀଙ୍କ ନିମନ୍ତେ ଏକ ସ୍ବତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଛନ୍ତି। ମନ୍ତ୍ରୀ ସ୍ବାଇଁ ତାଙ୍କ ପ୍ରସ୍ତାବରେ ଦର୍ଶାଇଛନ୍ତି ଯେ, ସମ୍ପ୍ରତି ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଭିତରେ ରହିଛି। ତେବେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଧିକ କରୋନା ସଂକ୍ରମିତଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଏକ ସ୍ବତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ ସ୍ଥାପନ କରାଯାଇ ପାରିଲେ ଭଲ। କରୋନା ସଂକ୍ରମଣକୁ ସହଜରେ ରୋକାଯାଇ ପାରିବ। ଜୟଦେବ ବିହାର ନିକଟରେ ହସ୍‌ପିଟାଲ୍‌ର ସମସ୍ତ ସୁବିଧା ଥାଇ ବନ୍ଦ ହୋଇ ପଡ଼ିଥିବା ଏକ ବହୁତଳ କୋଠାକୁ ସହଜରେ ଏକ ପୂର୍ଣ୍ଣାଙ୍ଗ କୋଭିଡ୍‌ ହସ୍‌ପିଟାଲ୍‌ରେ ପରିଣତ କରାଯାଇପାରିବ ବୋଲି ସ୍ବାଇଁ ପ୍ରସ୍ତାବ ଦେଇଛନ୍ତି।