ସ୍ବଚ୍ଛ ହୋଇପାରିନି ଗୋଛାୟତସାହି

ବଅଁରପାଳ,୨୩ା୬(ଡି.ଏନ.ଏ.)

ସ୍ବଚ୍ଛ ଭାରତ ଅଭିଯାନରେ ଅନୁଗୋଳ ଜିଲାର ଅନେକ ଗଁ। ବାହ୍ୟ ମଳମୁକ୍ତ ହୋଇପାରିଛି। ହେଲେ ବଅଁରପାଳ ବ୍ଲକ ବଳରାମପ୍ରସାଦ ପଞ୍ଚାୟତର ୧୫ ନମ୍ବର ୱାର୍ଡ ଗୋଛାୟତସାହି ଏଯାଏ ସ୍ବଚ୍ଛ ହୋଇପାରି ନ ଥିବା ସାହିବାସୀ ଅଭିଯୋଗ କରିଛନ୍ତି। କେବଳ ପାଇଖାନା ନୁହେଁ, ସାହିବାସୀ କିପରି ସ୍ବଚ୍ଛ ପାଇପ୍‌ ଜଳ ପାଇପାରିବେ ସେ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ। ପଡ଼ୋଶୀ ଗଁ।ରେ ପାଇପ୍‌ ପାଣିର ବ୍ୟବସ୍ଥା ଥିଲେ ମଧ୍ୟ ଗୋଚ୍ଛାୟତସାହିରେ ପାଇପ୍‌ ବିଛାଯାଇ ଛାଡ଼ିଦିଆଯାଇଛି।
ସାହିବାସୀଙ୍କ କହିବା ଅନୁଯାୟୀ, ପ୍ରାୟ ୭ଶହ ଲୋକ ଏଠାରେ ରହୁଥିଲେ ବି ସ୍ବଚ୍ଛ ଭାରତ ଯୋଜନାରେ ଗୋଟିଏ ହେଲେ ପାଇଖାନା ନିର୍ମାଣ କରାଯାଇ ନାହିଁ। ଫଳରେ ବାଧ୍ୟହୋଇ ସେମାନେ ଖୋଲାସ୍ଥାନକୁ ଶୌଚ ପାଇଁ ଯାଉଛନ୍ତି। ଏ ନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ଉକ୍ତ ସରକାରୀ ଯୋଜନା ସାହିବାସିନ୍ଦାଙ୍କ ନିକଟରେ ପହଞ୍ଚିପାରି ନାହିଁ। ସେହିପରି ସରକାରଙ୍କ ଭତ୍ତା ଯୋଜନାରୁ ମଧ୍ୟ ବହୁ ବୃଦ୍ଧା, ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ବଞ୍ଚିତ ରହିଛନ୍ତି। ସାହିର ଗୋପୀ ଗୋଛାୟତ, ଜନନୀ ଗୋଛାୟତ କହିଛନ୍ତି, ୬୦ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ଭତ୍ତା ଯୋଜନାରେ ସାମିଲ କରାଯାଉ ନାହିଁ। ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ କରିବା ସତ୍ତ୍ୱେ ସୁଫଳ ମିଳୁନାହିଁ। ମଞ୍ଜୁ ଗୋଛାୟତ, ଡଲି ଗୋଛାୟତ, ବିଭୁ ଗୋଛାୟତ କହିଛନ୍ତି, ପାଇଖାନାଠାରୁ ପିଇବା ପାଣି ଯାଏ ସବୁଥିରେ ସାହିବାସୀ ଅବହେଳିତ। ଦୀର୍ଘ ବର୍ଷ ହେଲା ସାହିରେ ପାଇପ୍‌ ବିଛା ଯାଇଥିଲେ ମଧ୍ୟ ସଂଯୋଗ ଦିଆଯାଉ ନ ଥିବାରୁ ସ୍ବଚ୍ଛ ପାଣି ଟିକେ ମିଳୁନାହିଁ। ସମସ୍ୟା ସମ୍ପର୍କରେ ସରପଞ୍ଚ ମଧୁଛନ୍ଦା ସାହୁ କହିଛନ୍ତି, ସାହିରେ ପାଇଖାନା ନିର୍ମାଣ କରାଯିବ। ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନଙ୍କ ନାମ ତାଲିକାରେ ରହିଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ବିଡିଓ ଏଲିଜା ମିଶ୍ର କହିଛନ୍ତି, ଯଦି ସାହିର କୌଣସି ଲୋକଙ୍କ ଘରେ ପାଇଖାନା ନ ଥାଏ ତାହେଲେ ଅନୁଧ୍ୟାନ କରାଯାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।