ସ୍ନାନବେଦିରେ ବିଶୃଙ୍ଖଳା ଘଟଣା: ସିସିଟିଭି ଯାଞ୍ଚ କରିବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ ଅଫିସ,୨୦ା୬: ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହୋଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନର କଟକଣା ସତ୍ତ୍ବେ ସ୍ନାନବେଦିରେ ବିଶୃଙ୍ଖଳା ହୋଇଛି। ସଂଖ୍ୟାଧିକ ସେବାୟତ ପ୍ରଶାସନର ନୀତିନିୟମକୁ ମାନି ଦାରୁବିଗ୍ରହଙ୍କ ସ୍ନାନନୀତିକୁ ଶୃଙ୍ଖଳିତ କରିଥିବାବେଳେ ଅଳ୍ପ କେତେଜଣ ବ୍ୟବସ୍ଥାବଳୀର ଉଲ୍ଲଂଘନ କରିଛନ୍ତି। ଭକ୍ତଙ୍କଠାରୁ ଫୁଲ ଆଣିବା, ତୁଳସୀ ବାଣ୍ଟିବା ଉପରେ କଟକଣା ଲାଗିଥିଲେ ମଧ୍ୟ କେତେକ ସେବାୟତ ଏହାକୁ ମାନି ନ ଥିଲେ। ଏପରି କି କେତେଜଣ ଠାକୁରଙ୍କୁ ସ୍ପର୍ଶ କରିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରାଯିବ ବୋଲି ସୂଚନା ମିଳିଛି। ଯେଉଁମାନେ ବ୍ୟବସ୍ଥାବଳୀକୁ ଉଲ୍ଲଂଘନ କରିଥିବେ ସେମାନେ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି।