ସ୍ନାତକୋତ୍ତର ପରୀକ୍ଷାଫଳ: ୫ ବିଭାଗରେ ଛାତ୍ରୀ ଟପ୍ପର

ଭଦ୍ରକ ଅଫିସ, ୧୯।୭ – ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଶୁକ୍ରବାର ସ୍ନାତକୋତ୍ତର(ପିଜି) ପରୀକ୍ଷାଫଳ ପ୍ରକାଶ ପାଇଛି। ମୋଟ ୭ଟି ବିଭାଗ ମଧ୍ୟରୁ ୫ଟିରେ ଛାତ୍ରୀ ଟପ୍ପର ହୋଇଛନ୍ତି। ରସାୟନ ବିଜ୍ଞାନରେ ଲକ୍ଷ୍ମୀପ୍ରଭା ରାଉତ ୯୯୦ ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଥିବା ବେଳେ ବାଣିଜ୍ୟରେ ପ୍ରଦୀପ କୁମାର ମହାନ୍ତି ୮୨୯, ଅର୍ଥଶାସ୍ତ୍ରରେ ଶ୍ରଦ୍ଧାଞ୍ଜଳି ବିଶ୍ୱାଳ ୬୩୦, ଇଂରାଜୀରେ ସୁଦର୍ଶନ ସୂତାର ୭୧୯, ଗଣିତରେ ସୁପ୍ରଭା ପଣ୍ଡା ୮୩୦, ରାଜନୀତି ବିଜ୍ଞାନରେ ହରପ୍ରିୟା ଜେନା ୭୩୬ ଓ ଉର୍ଦ୍ଦୁରେ ସାଇଗୁପ୍ତା ଯସ୍ମିନ ୬୯୦ ନମ୍ବର ରଖି ଆଗରେ ଅଛନ୍ତି। ଏକ୍‌ଜିକ୍ୟୁଟିଭ୍‌ କମିଟି ଚେୟାରମ୍ୟାନ ଅବସରପ୍ରାପ୍ତ ପ୍ରଫେସର ଡ. ଶୈଳେନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବଙ୍କିମ ଚନ୍ଦ୍ର ସାହୁ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମୃତ୍ୟୁଞ୍ଜୟ ଦାସ, ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଅଜିତ୍‌ କୁମାର ଦାସ, ପ୍ରଫେସର ଲକ୍ଷ୍ମୀକାନ୍ତ ନାୟକ ଓ ରାଜନୀତି ବିଜ୍ଞାନର ମୁଖ୍ୟ ସୁଦର୍ଶନ ଦାସ ପ୍ରମୁଖ ପରୀକ୍ଷା ବିଭାଗର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପରୀକ୍ଷାଫଳ ପୁସ୍ତିକା ପ୍ରକାଶ କରାଯାଇଥିଲା। ବିଭାଗର ସର୍ବୋଚ୍ଚ ନମ୍ବର ରଖିଥିବା ତଥା ଶୀର୍ଷରେ ଥିବା ଛାତ୍ରୀଛାତ୍ରଙ୍କ ନାମ ପ୍ରକାଶ କରାଯାଇଛି। ମୋଟ ୧୯୯ ଛାତ୍ର୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୧୬୨ ଜଣ ଉତ୍ତୀର୍ଣ୍ଣ ଓ ୩୭ ଜଣ ଫେଲ୍‌ ହୋଇଥିବା ସୂଚନା ଦିଆଯାଇଛି।