ସ୍ଥିତି ଅଣାୟତ୍ତ

ନ୍ୟୁୟର୍କ/ଲଣ୍ଡନ,୨ା୪ : ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୪୪, ୨୨୭ରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବୁଧବାର ସୁଦ୍ଧା ଏହା ୮୮୬, ୧୦୮କୁ ବୃଦ୍ଧି ପାଇଛି। ଏହି ଭୂତାଣୁ ଗୋଟିକ ପରେ ଗୋଟିଏ ମୁଣ୍ଡ ନେଇଚାଲିଥିବା ବେଳେ ଚାଇନା, ଇଟାଲୀ ପରେ ଏବେ ଆମେରିକା, ସ୍ପେନ ଓ ବ୍ରିଟେନ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଆମେରିକାରେ ଅଦ୍ୟାବଧି ମୃତ୍ୟୁସଂଖ୍ୟା ୪,୧୦୨କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୯୦ ହଜାର ଟପିଛି। ସ୍ପେନରେ କରୋନା ୯,୦୫୩ ମୁଣ୍ଡ ନେଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧୦୨,୧୩୬ରେ ପହଞ୍ଚିଛି। ବ୍ରିଟେନରେ ସପ୍ତାହକ ମଧ୍ୟରେ ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ଏଠାରେ ଏବେ ୨,୩୫୨ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୩୦ ହଜାର ପାଖାପାଖିରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୪୯ ଜଣ ପ୍ରାଣ ହରାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧,୪୯୨ ରହିଛି। ସ୍ପେନରେ ଦିନକ ମଧ୍ୟରେ ୫୮୯ ମୁଣ୍ଡ ଗଡ଼ିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୬,୨୧୩ ରହିଛି। ବ୍ରିଟେନରେ ଗତ ୨୪ ଘଣ୍ଟାରେ ୫୬୩ ଜଣ ପ୍ରାଣ ହରାଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ଗୋଟିଏ ଦିନରେ ଏଠି ୪,୩୨୪ ରହିଛି। ଇଟାଲୀରେ ସର୍ବାଧିକ ୧୨, ୪୨୮ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧୦୫, ୭୯୨ରେ ପହଞ୍ଚିଛି। ଚାଇନାରେ ମୃତ୍ୟୁସଂଖ୍ୟା କମୁଥିଲେ ହେଁ ଅଦ୍ୟାବଧି ଏହା ୩,୩୧୨ ରହିଛି। ସଂକ୍ରମିତଙ୍କ ସଂଖ୍ୟା ଏଠାରେ ୮୧, ୫୫୪କୁ ବୃଦ୍ଧିପାଇଛି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଜର୍ମାନୀରେ ୮୨୧ ଜଣ ମୃତ୍ୟୁବରଣ କରିଥିବା ପ୍ରକାଶ। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ଏଠାରେ ୭୪, ୫୦୮କୁ ବୃଦ୍ଧିପାଇଛି। ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୩,୫୨୩ ଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୫୨,୧୨୮କୁ ବୃଦ୍ଧିପାଇଛି। ଇରାନରେ ୩,୦୩୬ ଜଣ ମୃତ୍ୟୁବରଣ କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୭, ୫୯୩କୁ ବୃଦ୍ଧିପାଇଛି। ସୁଇଜରଲାଣ୍ଡରେ ୪୬୧, ବେଲଜିୟମରେ ୮୨୮, ନେଦରଲାଣ୍ଡରେ ୧,୧୭୩, ବ୍ରାଜିଲରେ ୨୦୪, ତୁର୍କୀରେ ୨୧୪, ସ୍ବିଡେନରେ ୨୩୯, ଡେନ୍‌ମାର୍କରେ ୧୦୪ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏବେସୁଦ୍ଧା ବିଶ୍ୱରେ ୧୮୫, ୨୭୪ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଥିଲେ ହେଁ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱବ୍ୟାପୀ ଲକ୍‌ଡାଉନ୍‌ ପରେ ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ମହାମାରୀ କରୋନା ଭୂତାଣୁର ଚିକିତ୍ସା ସୁବିଧା ଏପର୍ଯ୍ୟନ୍ତ ଉପଲବ୍ଧ ହୋଇ ନ ଥିବାରୁ ଆତଙ୍କ ଖେଳିଯାଇଛି।

Share