Categories: ଜାତୀୟ

ସ୍ଥାୟୀ ସମାଧାନ ଚାହିଁଲେ ବାଚସ୍ପତି

ନୂଆଦିଲ୍ଲୀ, ୧୧ା୨(ପି.ଟି.): ପାର୍ଲାମେଣ୍ଟ ଭିତରେ ସଦସ୍ୟଙ୍କ ପ୍ଲାକାର୍ଡ ଓ ପୋଷ୍ଟର ପ୍ରଦର୍ଶନକୁ ନେଇ ବାଚସ୍ପତି ଓମ୍‌ ବିର୍ଲା ସୋମବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ଦ୍ୱାରା ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ସେ ପ୍ରକାଶ କରିଛନ୍ତି। ଏହାର ଏକ ସ୍ଥାୟୀ ସମାଧାନ ଲାଗି ଆଲୋଚନା ଉପରେ ସେ ଜୋର୍‌ ଦେଇଛନ୍ତି। ଏହାକୁ ଅନୁମତି ଦିଆଯିବ କି ନାହିଁ, ସେନେଇ ଗୃହରେ ସଦସ୍ୟମାନେ ଆଲୋଚନା କରି ନିର୍ଯାସ ବାହାର କରିବା ଦରକାର ବୋଲି ବିର୍ଲା ପ୍ରକାଶ କରିଛନ୍ତି। ଟିଏମ୍‌ସି ସଦସ୍ୟ ସୌଗତ ରାୟ ଏକ ବିଲ୍‌ ଉପରେ କିଛି କହିବାକୁ ଉଠିବା ବେଳେ ପଶ୍ଚିମବଙ୍ଗର ଭାଜପା ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହରେ ନାରାବାଜି ଦେଇଥିଲେ। ଏଭଳି ଆଚରଣକୁ ଅନୁମତି ମିଳିବା ଅନୁଚିତ ବୋଲି ରାୟ ଦର୍ଶାଇଥିଲେ। ବାରଣ ସତ୍ତ୍ୱେ କେହି ସଦସ୍ୟ ପ୍ଲାକାର୍ଡ କିମ୍ବା ପୋଷ୍ଟର ଗୃହକୁ ଆଣିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଚସ୍ପତି କହିଥିଲେ।

Share