ସ୍ଥାୟୀ କର୍ମଚାରୀ ଦାବିରେ ପାଚିକାଙ୍କ ବିକ୍ଷୋଭ

ଭଦ୍ରକ ଅଫିସ, ୧୭।୬ – ମଧ୍ୟାହ୍ନଭୋଜନ କାର୍ଯ୍ୟରେ ନିୟୋଜିତ ଥିବା ପାଚିକାମାନଙ୍କୁ ସରକାରୀ ଭାବେ ସ୍ଥାୟୀ କର୍ମଚାରୀ ସମେତ ବିଭିନ୍ନ ଦାବି ନେଇ ସୋମବାର ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲାରେ କାର୍ଯ୍ୟରତ ଶତାଧିକ ପାଚିକା ସିଆଇଟିୟୁ ନେତୃତ୍ୱ ମଳୟ ଭୋଇ, ଶାନ୍ତିଲତା ନାୟକ, ମହେଶ୍ୱର ନାୟକ, ବିଷ୍ଣୁ ପ୍ରଧାନ, ସେକ୍‌ କମର, ଡ. ସୁଲୋଚନା ମଲ୍ଲିକ ଓ ଜୟଶ୍ରୀ ଜେନାଙ୍କ ନେତୃତ୍ୱରେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସମସ୍ତଙ୍କୁ ୪ର୍ଥ ଶ୍ରେଣୀ କର୍ମଚାରୀ ମାନ୍ୟତା, ମାସକୁ ୧୮ ହଜାର ଟଙ୍କା ବେତନ, ସମାନ କାମକୁ ସମାନ ମଜୁରି ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ୨ ହଜାର ଟଙ୍କା ମାସିକ ବେତନ ତୁରନ୍ତ ପ୍ରଦାନ, ସମସ୍ତଙ୍କୁ ବର୍ଷକୁ ୨ ଖଣ୍ଡ ଶାଢ଼ି, ହାତଧୁଆ ଓ ଲୁଗାସଫା ଖର୍ଚ୍ଚ ବାବଦକୁ ମାସକୁ ୨ ଶହ ଟଙ୍କା, ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ଆଦି ଦାବି କରାଯାଇଛି। ସିଟୁ ନେତା ଦିବ୍ୟସିଂହ ନାୟକଙ୍କ ସଭାପତିତ୍ୱରେ ଜିଲାପାଳଙ୍କ ଅଫିସ ସାମ୍ନାରେ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରମିକନେତା ବିଷ୍ଣୁ ଦାଶ, ମଳୟ ଭୋଇ, ଦିଲୀପ ନାୟକ, ରାଧା ଦାସ ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତିକୁ ତୀବ୍ର ନିନ୍ଦା କରିଥିଲେ। ଏମ୍‌ପି ଏବଂ ବିଧାୟକମାନଙ୍କର ଦରମା ବଢୁଥିବା ବେଳେ ସେମାନଙ୍କୁ ପେନ୍‌ସନ ମଧ୍ୟ ମିଳୁଛି। କିନ୍ତୁ ଶ୍ରମଜୀବୀ ମହିଳା ପାଚିକାମାନଙ୍କ ଉପରେ ଶୋଷଣକୁ ପ୍ରତିହତ କରିବା ପାଇଁ ଲଢ଼େଇ କରିବାକୁ ସେମାନେ ଆହ୍ବାନ ଦେଇଥିଲେ। ଶେଷରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା।