ସ୍ଥାନାନ୍ତର ହେବ ଜାରକା ମାଛ ମାର୍କେଟ

ଧର୍ମଶାଳା,୧୫।୪(ଡିଏନଏ): ଧର୍ମଶାଳା ବ୍ଲକ ଜାରକା ଗୋପବନ୍ଧୁ ଛକ ନିକଟରେ ଚାଲିଥିବା ନିତିଦିନିଆ ମାଛ ମାର୍କେଟ ସ୍ଥାନାନ୍ତର କରାଯିବାକୁ ପୋଲିସ ଓ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି କରାଯାଇଛି। ମାଛ ମାର୍କେଟଗୁଡିକରେ ଅଧିକ ଲୋକଙ୍କ ଗହଳି ଜମୁଥିବାରୁ ସାମାଜିକ ଦୂରତା ରକ୍ଷା କରିବା ସମ୍ଭବପର ହୋଇପାରୁ ନାହିଁ। ଏହାକୁ ଦୃଷ୍ଟିରେ ରଖି ଧର୍ମଶାଳା ପୋଲିସ ଓ ପ୍ରଶାସନ ପକ୍ଷରୁ ଜାରକା ଗୋପବନ୍ଧୁ ଛକରେ ଚାଲିଥିବା ମାଛ ମାର୍କେଟକୁ ଧର୍ମଶାଳା ମହୋତ୍ସବ ପଡ଼ିଆକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ବଜାରର ବିଭିନ୍ନ ଛକରେ ବସି ବ୍ୟବସାୟ କରୁଥିବା ପରିବା ବ୍ୟବସାୟୀଙ୍କୁ ମହୋତ୍ସବ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ଏଠାରେ ବାଉଁଶର ବ୍ୟାରିକେଟ କରାଯାଇ ସାମାଜିକ ଦୂରତା ରକ୍ଷା କରି ଲୋକେ ପରିବା କିଣିବାର ବ୍ୟବସ୍ଥା କରାଯାଇଛି। ଏବେ ମାଛ ମାର୍କେଟକୁ ଏଠାରୁ ସ୍ଥାନାନ୍ତର କରାଯିବା ସହ ଲୋକେ ସାମାଜିକ ଦୂରତା ରକ୍ଷା କରି କିଣାବିକା କରିବା ପାଇଁ କୁହାଯାଇଛି। ବୁଧବାର ଏ ସମ୍ପର୍କରେ ପୋଲିସ ପକ୍ଷରୁ ମାଛ ବ୍ୟବସାୟୀଙ୍କୁ ଅବଗତ କରାଯାଇଛି। ଲକଡାଉନ ଶେଷ ହେବା ପର୍ଯ୍ୟନ୍ତ ମାଛ ବ୍ୟବସାୟୀମାନେ ଧର୍ମଶାଳା ମହୋତ୍ସବ ପଡ଼ିଆରେ ନିଜର ବ୍ୟବସାୟ ଚଳାଇବେ।