ସ୍ତ୍ରୀଙ୍କ ସ୍ମୃତିରେ ଦୁର୍ଘଟଣା ଘଟିଥିବା ସ୍ଥାନରେ ମନ୍ଦିର ନିର୍ମାଣ କଲେ ସ୍ବାମୀ

ଜୟପୁର,୧୪।୧୦: ଦୁଇ ମାସ ପୂର୍ବରୁ ରାଜସ୍ଥାନ ସିକର ଜିଲାର ଫତେହପୁରରେ ଏକ ସଡ଼କ ଦୁର୍ଘଟଣାରେ ହରିୟାଣାର ଜିତେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କ(୫୪) ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସ୍ତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ଦୁର୍ଘଟଣା ଘଟିଥିବା ସ୍ଥାନରେ ଜିତେନ୍ଦ୍ର ଏକ ମନ୍ଦିର ନିର୍ମାଣ କରିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୧୬ରେ ଜିତେନ୍ଦ୍ର ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ଜିନ୍ଦରୁ ସାଲାସର ବାଲାଜୀ ମନ୍ଦିର ଦର୍ଶନ ପାଇଁ ୨ଟି କାର୍‌ରେ ଯାଇଥିଲେ। ଗୋଟିଏ କାର୍‌ରେ ଜିତେନ୍ଦ୍ର,ବଡ଼ ପୁଅ ବୋହୂ ଓ ନାତି ଥିବା ବେଳେ ଅନ୍ୟଟିରେ ତାଙ୍କ ସ୍ତ୍ରୀ, ସାନ ପୁଅ ଓ ବୋହୂ ଥିଲେ। ଫତେହପୁର ନିକଟରେ ଏକ କ୍ୟାଣ୍ଟର ଜିତେନ୍ଦ୍ରଙ୍କ ସ୍ତ୍ରୀ ଥିବା କାର୍‌କୁ ଧକ୍କା ଦେଇଥିଲା। ସେ ଗୁରୁତର ଆହତ ହୋଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ସେଠାକାର ଲୋକଙ୍କ କହିବା କଥା ହେଲା ଆଖପାଖ ଅଞ୍ଚଳରୁ ୮ କିଲୋମିଟର ପର୍ଯ୍ୟନ୍ତ କୌଣସି ମନ୍ଦିର ନ ଥିବାରୁ ହରିୟାଣାରୁ ସାଲାସରକୁ ଯାଉଥିବା ଶ୍ରଦ୍ଧାଳୁ ପ୍ରାୟ ସମୟରେ ଏହି ହାଇଓ୍ବେ ଉପରେ ଦୁର୍ଘଟଣାର ଶିକାର ହୋଇଥାନ୍ତି। ତେଣୁ ଜିତେନ୍ଦ୍ର ଦୁର୍ଘଟଣା ଘଟୁଥିବା ସ୍ଥାନରେ ହନୁମାନଙ୍କ ଏକ ମନ୍ଦିର ତିଆରି କରିବା ପାଇଁ ଚିନ୍ତା କରିଥିଲେ। ଆଉ ଏଥିପାଇଁ ସ୍ଥାନୀୟ ହୋଟେଲ ମାଲିକ ନିଜର ଜମି ଦାନ କରି ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ। ଏହାପରେ ସେଠାରେ ସେ ଏକ ମନ୍ଦିର ନିର୍ମାଣ କରିଛନ୍ତି। ରବିବାର ସ୍ଥାନୀୟ ପୋଲିସ ଓ ପରିବାରର ଉପସ୍ଥିତିରେ ଜିତେନ୍ଦ୍ର ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

Share