Categories: ମେଟ୍ରୋ

ସ୍ତ୍ରୀଙ୍କୁ ହତ୍ୟା ମାମଲା: ଅଭିଯୁକ୍ତ ସ୍ବାମୀଙ୍କୁ ୭ବର୍ଷ ଜେଲ୍‌

କଟକ ଅଫିସ୍‌, ୧୪।୮: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ମାମଲାରେ କଟକ ଅତିରିକ୍ତ ଜିଲା ଦୌରାଜଜ୍‌-୩ ବନ୍ଦନା କର ମଙ୍ଗଳବାର ଅଭିଯୁକ୍ତ ସ୍ବାମୀଙ୍କୁ ୭ବର୍ଷ କାରାଦଣ୍ଡ ଓ ୧୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୬ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି। ସରକାରଙ୍କ ତରଫରୁ ୨୧ଜଣ ସାକ୍ଷୀ ଓ ମୁଦାଲାଙ୍କ ତରଫରୁ ୪ଜଣ ସାକ୍ଷୀଙ୍କ ବୟାନ ଆଧାରରେ ବିଚାରପତି ଆଇପିସି ଧାରା ୩୦୪ (୨) ଅନୁଯାୟୀ ଅଭିଯୁକ୍ତ ଦେବୀପ୍ରସାଦ ତ୍ରିପାଠୀଙ୍କୁ ଏହି ଦଣ୍ଡାଦେଶ କରିଛନ୍ତି। ତେବେ ତାଙ୍କ ମା’ ମନୋରମା ତ୍ରିପାଠୀଙ୍କୁ ଦୋଷମୁକ୍ତ କରିଛନ୍ତି।
କଟକ ବାଦାମବାଡ଼ି ଥାନା ଅଞ୍ଚଳର ଶ୍ରୀରାମନଗରସ୍ଥ ଦେବୀ ପ୍ରସାଦ ଗତ ୨୦୧୩ ମେ ୧୨ରେ ଭୁବନେଶ୍ୱର ଜୟଦେବବିହାର ଅଞ୍ଚଳର ପ୍ରଜ୍ଞା ପାରମିତା ମିଶ୍ରଙ୍କୁ ବିବାହ କରିଥିଲେ। ଦେବୀପ୍ରସାଦ ଝୋଲାସାହିସ୍ଥିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବାବେଳେ ପ୍ରଜ୍ଞା ଭୁବନେଶ୍ୱର ଜଳସେଚନ ବିଭାଗରେ କାର୍ଯ୍ୟ କରୁଥିଲେ। ୨୦୧୫ ଜାନୁୟାରୀ ୨୬ରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦେବୀପ୍ରସାଦ ତଣ୍ଟି ଚିପି ଦେବାରୁ ପ୍ରଜ୍ଞାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଦେବୀପ୍ରସାଦ ବାଦାମବାଡ଼ି ଥାନାରେ ଆତ୍ମସମର୍ପଣ କରିଥିଲେ। ପ୍ରଜ୍ଞାଙ୍କ ପରିବାର ପକ୍ଷରୁ କଟକ ମହିଳା ଥାନାରେ ଯୌତୁକଜନିତ ହତ୍ୟା ନେଇ ଏକ ଅଭିଯୋଗ ଦାଖଲ କରାଯାଇଥିଲା। ପରେ ବାଦାମବାଡ଼ି ପୋଲିସ ଅଭିଯୁକ୍ତ ଦେବୀପ୍ରସାଦଙ୍କୁ କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ବିଜୟ କୁମାର ମହାନ୍ତି ମାମଲା ପରିଚାଳନା କରିଥିଲେ।