ସ୍କୁଲ ବନ୍ଦ ନ କରିବାକୁ ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

ବରଗଡ଼ ଅଫିସ,୧୬।୩: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର କମ ଥିବା ଦର୍ଶାଇ ଉକ୍ତ ସ୍କୁଲକୁ ବନ୍ଦ କରିଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ସ୍କୁଲକୁ ବନ୍ଦ କରାଗଲେ ସେମାନଙ୍କ ପିଲାଛୁଆ ପାଠପଢ଼ାରୁ ବଞ୍ଚିତ ହେବେ ବୋଲି ଗ୍ରାମବାସୀ କହିଛନ୍ତି। ଫଳରେ ଉକ୍ତ ସ୍କୁଲକୁ ବନ୍ଦ ନ କରିବା ପାଇଁ ଗ୍ରାମବାସୀ ନିବେଦନ କରି ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ଜିଲାପାଳ ଅଫିସର ଡାକ ସେକ୍ସନରେ ସେମାନେ ସ୍ମାରକପତ୍ର ପ୍ରଦାନ କରିଥିଲେ। ବର୍ତ୍ତମାନ ସ୍କୁଲରେ ୨୦ଜଣ ଛାତ୍ରୀଛାତ୍ର ଥିବାବେଳେ ଆସନ୍ତା ଶିକ୍ଷାବର୍ଷରୁ ଆହୁରି ଅଧିକ ଛାତ୍ରୀଛାତ୍ର ହେବେ ବୋଲି ଗ୍ରାମବାସୀ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି।