ସୌରମଣ୍ଡଳ ବାହାର ଉପଗ୍ରହରେ ଜଳ

ଲଣ୍ଡନ,୮ା୬(ପି.ଟି.): ଆମ ସୌରମଣ୍ଡଳ ବାହାରେ ଗ୍ରହ ଚାରିପାଖେ ଘୂରିବୁଲୁଥିବା ଉପଗ୍ରହ(ଚନ୍ଦ୍ର)ରେ ଜଳ ତରଳ ଅବସ୍ଥାରେ ଥାଇପାରେ। ଏଥିପାଇଁ ପୃଥିବୀ ବାହାରେ ଜୀବନ ତିଷ୍ଠିବା ସମ୍ଭବପର ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଆମ ସୌରମଣ୍ଡଳ ବାହାରେ ପାଖାପାଖି ୪,୦୦୦ ଉପଗ୍ରହ ଆବିଷ୍କାର କରାଯାଇଥିବା ବ୍ରିଟେନ୍‌ସ୍ଥିତ ଲିଙ୍କନ୍‌ ୟୁନିଭର୍ସିଟିର ଗବେଷକମାନେ ମତ ଦେଇଛନ୍ତି। କେବଳ କେତୋଟି ଉପଗ୍ରହ ବାସଯୋଗ୍ୟ ଅବସ୍ଥିତିରେ ଥିବାରୁ ସେଗୁଡିକରେ ଜୀବନଧାରଣ ସମ୍ଭବ। ଏହିସବୁ ଉପଗ୍ରହରେ ଜଳ ତରଳ ଅବସ୍ଥାରେ ଥିବାରୁ ସେଠାରେ ପୃଥିବୀ ପରି ଜୀବନଧାରଣ ସମ୍ଭବ ବୋଲି ଲିଙ୍କନ ୟୁନିଭର୍ସିଟିର ଗବେଷକ ଫିଲ୍‌ ଜେ. ସଟନ୍‌ ପ୍ରକାଶ କରିଛନ୍ତି।
ନୋଟିସେସ୍‌ ଅଫ୍‌ ଦି ରୟାଲ ଆଷ୍ଟ୍ରୋନୋମିକାଲ ସୋସାଇଟି ଜର୍ନାଲ୍‌ରେ ଏ ସମ୍ପର୍କିତ ବିସ୍ତୃତ ଅଧ୍ୟୟନ ପ୍ରକାଶ ପାଇଛି। ପୃଥିବୀଠାରୁ ଅତି ଦୂରରେ ଥିବା ଏବଂ ଆକୃତି ଛୋଟ ହୋଇଥିବାରୁ ସୌରମଣ୍ଡଳ ବାହାର ଚନ୍ଦ୍ରଗୁଡିକୁ ଠାବ କରିବା କଷ୍ଟକର। କିନ୍ତୁ ବୈଜ୍ଞାନିକମାନେ ଚନ୍ଦ୍ରର ଚାରିପାଖରେ ପ୍ଲାନେଟାରି ରିଙ୍ଗ୍‌ ଭଳି ବସ୍ତୁର ପ୍ରଭାବକୁ ଲକ୍ଷ୍ୟ କରି ସେଗୁଡିକୁ ଚିହ୍ନଟ କରିପାରନ୍ତି।

Share