ସୋସିଆଲ ମିଡିଆ ପ୍ରଭାବ: ଲତାଙ୍କ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ରାନୁଙ୍କ ଭାଗ୍ୟ ବଦଳିଲା, ମିଳୁଛି ଅନେକ ଶୋ’ର ଅଫର୍‌

ମୁମ୍ବାଇ: ଆଜିର ଅତ୍ୟାଧୁନିକ ସମାଜରେ ସୋସିଆଲ ମିଡିଆର ପ୍ରଭାବ ଅଧିକ।ଏଥିରେ କୌଣସି ଘଟଣା ଥରେ ଭାଇରାଲ ହେବା ପରେ ରାତାରାତି ଷ୍ଟାର ପାଲଟିଯାଆନ୍ତି ଅନେକେ। ଏପରି କିଛି ଘଟିଛି ପଶ୍ଚିମବଙ୍ଗର ରାନୁଙ୍କ କ୍ଷେତ୍ରରେ। ନିକଟରେ କୋକିଳ କଣ୍ଠି ଲତା ମଙ୍ଗେସକରଙ୍କ ଲୋକପ୍ରିୟ ଗୀତ ‘ଏକ ପ୍ୟାର କା ନଗମା ହେ’ ଗାଇ ରାନୁ ଚର୍ଚ୍ଚାକୁ ଆସିଥିଲେ। ଷ୍ଟେଶନରେ ବସିଥିବା ବେଳେ ସେ ଏହି ଗୀତକୁ ଗାଉଥିଲେ। ଏହି ସମୟରେ କେହି ତାଙ୍କର ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ। ଭିଡିଓଟି ଭାଇରାଲ ହେବା ପରେ ଏବେ ତାଙ୍କୁ ବିଭିନ୍ନ ଶୋ’ର ଅଫର ମିଳିବାରେ ଲାଗିଛି। ଏପରିକି ବମ୍ବେରେ ହେବାକୁ ଥିବା ଏକ ରିଆଲିଟି ଶୋ’ରେ କାମ କରିବା ଲାଗି ରାନୁଙ୍କ ମେକ୍‌ଓଭର କରାଯାଇଛି। ଏହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ତେବେ ଏହାକୁ କେହି ଦେଖିଲେ ଜୀବନ କେଉଁ ମୁହୁର୍ତ୍ତରେ ବି ବଦଳିଯାଇପାରେ ବୋଲି ବିଶ୍ୱାସ କରିବ। ଏବେ ରାନୁଙ୍କୁ ବମ୍ବେ ଅଣାଯିବ। ଫଳରେ ଖୁବ୍‌ଶୀଘ୍ର ତାଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି।

ବ୍ୟକ୍ତିଗତ ଜୀବନକୁ ଦେଖିଲେ ରାନୁ, ବବଲୁ ମଣ୍ଡଳଙ୍କୁ ବିବାହ କରିଥିଲେ। ମାତ୍ର ସ୍ବାମୀଙ୍କ ମୃତ୍ୟୁ ପରେ ସେ ଏକା ହୋଇଯିବା ହେତୁ ପଶ୍ଚିମବଙ୍ଗ ଚାଲିଆସିଥିଲେ। ଏଠାରେ ସେ ରାନାଘାଟ ଷ୍ଟେଶନରେ ଯାତ୍ରୀମାନଙ୍କ ସମ୍ମୁଖରେ ଗୀତ ବୋଲି ନିଜର ଗୁଜରାଣ ମେଣ୍ଟାଉଥିଲେ।

Share