ସୋସିଆଲ ମିଡିଆରେ ପାଣିପାଗ ସୂଚନା ଦେଲେ ବରୁଣ!

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଶନିବାର ସକାଳେ ବର୍ଷା ହୋଇଥିବା ବେଳେ ସାମାନ୍ୟ ପବନ ମଧ୍ୟ ବହିଥିଲା। ଏହି ସମୟରେ ବଲିଉଡ୍‌ ଅଭିନେତା ବରୁଣ ଧଓ୍ବନଙ୍କର ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି। ବରୁଣ ଶନିବାର ସକାଳୁ ସକାଳୁ ରାସ୍ତା ଉପରକୁ ଚାଲିଆସି ଲୋକଙ୍କୁ ପାଣିପାଗ ସୂଚନା ଦେଇଛନ୍ତି। ଆଉ ଏହାର ଏକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଏହି ‘କଳଙ୍କ’ କଳାକାର। ଏଥିରେ ସେ ଛତାଧରି ଚାଲୁଥିବା ବେଳେ ସହରରେ ହେଉଥିବା ବର୍ଷା ସମ୍ପର୍କରେ ସୂଚନା ଦେଉଛନ୍ତି। ତେବେ ସେ ଜଣେ ପାଣିପାଗ ବିଶେଷଜ୍ଞଭାବେ ଏହି ସୂଚନା ଦେଇ ନ ଥିବା କହିଛନ୍ତି। ସେ ସକାଳୁ ସକାଳୁ ଉଠି ଯାଇଥିବା ବେଳେ ଶନିବାରଟା ରେନି ଡେ ଭଳି ଲାଗୁଛି ବୋଲି ସେ କହିବାକୁ ଚାହିଁଛନ୍ତି। ଏବେ ମୌସୁମୀ ଆସିଯାଇଛି ବନ୍ଧନରୁ ମୁକ୍ତ ହୁଅନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ବରୁଣ ସୂଚନା ଦେଇଛନ୍ତି। ତେବେ ବର୍ଷା ପବନ ଯୋଗୁ ଯେଉଁ ଗଛ ଉପୁଡି ପଡିଛି ତାକୁ ମଧ୍ୟ ସେ ଭିଡିଓରେ ଦେଖାଇଛନ୍ତି। ଆପଣମାନେ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ। କିନ୍ତୁ ଯେଉଁମାନେ ବର୍ଷାରେ ଭିଜିବାକୁ ଚାହୁଁଛନ୍ତି ସେମାନେ ବାହାରକୁ ଆସିପାରନ୍ତି ବୋଲି ବରୁଣ କହିଛନ୍ତି। ଶନିବାର ଭୋରୁ ଭୋରୁ ବରୁଣ ଏହା ଟୁଇଟ୍‌ କରିଥିବା ବେଳେ ଏବେ ଏହା ତାଙ୍କ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି।

Share