ସୋସିଆଲ୍‌ ମିଡିଆରେ ଗୁଜବ ପ୍ରଚାର କରି ଅଧ୍ୟାପକ ଗିରଫ

ମାଲକାନଗିରି,୨୭ା୩(ଡି.ଏନ୍‌.ଏ): ମହାମାରୀ କୋଭିଡ୍‌-୧୯ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଓଡ଼ିଶାରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ତେଣୁ ରାଜ୍ୟ ସରକାର ମଧ୍ୟ ଏହାର ମୁକାବିଲା ପାଇଁ ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି। କୌଣସି ପ୍ରକାର ଗୁଜବ ପ୍ରଚାର ନ କରିବା ପାଇଁ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଛି। ତଥାପି ଜଣେ ଅଧ୍ୟାପକ ସୋସିଆଲ୍‌ ମିଡିଆରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ମାଲକାନଗିରି ଜିଲା ଆଦର୍ଶ ଥାନା ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ସେ ମାଲକାନଗିରି ଜିଲା ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟାପକ ଥିବା ଜଣାପଡ଼ିଛି। କୋରାପୁଟ ଜିଲାରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସେ ହ୍ବାଟ୍‌ସ ଆପ୍‌ ଗ୍ରୁପ ମାଧ୍ୟମରେ ପ୍ରଚାର କରିଥିଲେ। ପୋଲିସ ଏହାର ତଦନ୍ତ କରି ଅଧ୍ୟାପକଙ୍କୁ ଗିରଫ କରିଛି। ଏ ନେଇ ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗ ଖବରଦାତା ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି। ଏଥିସହ ଗୁଜବ ପ୍ରଚାର ନ କରିବା ଏବଂ ଏଥିରେ ପ୍ରଭାବିତ ନ ହେବା ପାଇଁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।