Categories: ଜାତୀୟ

ସୋସିଆଲ୍‌ ମିଡ଼ିଆ ରାଜନୀତି: ଅନ୍‌ଲାଇନ୍‌ରେ ମୋଦି ଶକ୍ତିଶାଳୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୩: ସୋସିଆଲ ମିଡ଼ିଆରେ ନିଜର ଶକ୍ତି ବୃଦ୍ଧି କରିବା ପାଇଁ ପୃଥିବୀର ଶକ୍ତଶାଳୀ ଦେଶର ରାଜନେତା ମାନେ ଉଦ୍ୟମ କରୁଥିବାର ନଜିର ରହିଛି। ସୋସିଆଲ ମିଡ଼ିଆରେ ରାଜନୀତି କରି ବେଶ୍‌ ସଫଳ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗରେ ରହିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟଠାରୁ ସେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଆକ୍ଟିଭ୍‌ ରହିଛନ୍ତି। ଇତିମଧ୍ୟରେ ୧୧ ବର୍ଷ ବିତି ଯାଇଛି। ଟୁଇଟରରେ ମୋଦିଙ୍କର ୫ କୋଟି ୩୩ ଲକ୍ଷ ୭୦ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି। ତେବେ ମୋଦି ୨୩୭୩ ଜଣଙ୍କୁ ଫଲୋ କରୁଛନ୍ତି। ଟୁଇଟରରେ ଫଲୋଅର୍ସ ସଂଖ୍ୟା ଅନୁସାରେ ସେ ପୃଥିବୀରେ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଫେସବୁକ୍‌ରେ ମୋଦିଙ୍କ ପାଖରେ ୪ କୋଟି ୪୭ ଲକ୍ଷରୁ ଅଧିକ ପ୍ରଶଂସକ ରହିଛନ୍ତି। ଫେସବୁକ୍‌ରେ ମୋଦି ପୃଥିବୀର ଏକ ନମ୍ବର ଲୋକପ୍ରିୟ ନେତା ପାଲଟିଛନ୍ତି। ଇନଷ୍ଟାଗ୍ରାମ୍‌ରେ ମୋଦିଙ୍କର ୩ କୋଟି ୫୨ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ସେ ଇନଷ୍ଟାଗ୍ରାମ୍‌ରେ ଫଲୋଅର୍ସ ସଂଖ୍ୟା ଦୃଷ୍ଟିରୁ ପୃଥିବୀର ଏକ ନମ୍ବର ରାଜନେତା ପାଲଟିଛନ୍ତି। ସେହିପରି ୟୁଟ୍ୟୁବ୍‌ରେ ମୋଦିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୪୫ ଲକ୍ଷରୁ ଅଧିକ ରହିଛି। ସବ୍ରସ୍କାଇବରଙ୍କ ସଂଖ୍ୟା ୨୫ଲକ୍ଷ ୫୦ ହଜାର ରହିଛି। ଏଥିରେ ଅପଲୋଡ୍‌ ହୋଇଥିବା ୨୨ ହଜାରରୁ ଭିଡ଼ିଓ ୬୫ କୋଟି ୫୭ ଲକ୍ଷରୁ ଅଧିକ ଥର ଦେଖାହୋଇଛି। ଅପରପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କର ଟୁଇଟରରେ ଫଲୋଅର୍ସ ସଂଖ୍ୟା ୭ କୋଟି ୩୨ ଲକ୍ଷରୁ ଅଧିକ ରହିଛି। ସେ ଟୁଇଟରରେ ବାରାକ୍‌ ଓବାମାଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଓବାମାଙ୍କର ୧୧ କୋଟି ୩୦ ଲକ୍ଷ ଫଲୋଅର୍ସ ଅଛନ୍ତି। ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ସୋସିଆଲ୍‌ ମିଡ଼ିଆରେ ସେତେ ଆକ୍ଟିଭ୍‌ ରହି ନ ଥାନ୍ତି। ସେ ଚାଇନା ଦ୍ୱାରା ନିର୍ମିତ ସିନା ଓି୍ବବୋ ସୋସିଆଲ୍‌ ମିଡ଼ିଆ ପ୍ଲାଟଫର୍ମ ବ୍ୟବହାର କରିଥାନ୍ତି। ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର୍‌ ପୁଟିନ୍‌ ମଧ୍ୟ ସୋସିଆଲ୍‌ ମିଡ଼ିଆରେ ସେତେ ଆକ୍ଟିଭ୍‌ ରହି ନ ଥାନ୍ତି। କେତେକ ସାମାଜିକ ତଥ୍ୟକୁ ସେ ପ୍ରାୟତଃ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଥାନ୍ତି।

Share