Categories: ଜାତୀୟ

ସୋମବାର ସୋନିଆ-ପାଓ୍ବାର ଆଲୋଚନା

ନୂଆଦିଲ୍ଲୀ, ୧୭ା୧୧(ଆଇଏଏନ୍‌ଏସ୍‌) : ମହାରାଷ୍ଟ୍ର ରାଜନୀତି କଡ଼ ଲେଉଟାଇବାରେ ଲାଗିଛି। ଶିବସେନା ସହ ମେଣ୍ଟକରି କଂଗ୍ରେସ ଓ ଏନ୍‌ସିପି ସରକାର ଗଠନ କରିବା ଲାଗି ପ୍ରୟାସ ଆରମ୍ଭ ହୋଇଥିବାବେଳେ ସୋମବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋନିଆଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ମଙ୍ଗଳବାର ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିବାବେଳେ ଏହା ଉପରେ ବିସ୍ତୃତ ଆଲୋଚନା କରାଯିବ। ରାଜ୍ୟରେ ସରକାର ଗଠନ ପୂର୍ବରୁ ଏହି ଦୁଇ ସହଯୋଗୀ ଦଳ ଶିବସେନା ସହ ସାଧାରଣ ସର୍ବନିମ୍ବ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିସାରିଛନ୍ତି। ତେଣୁ ସୋନିଆଙ୍କ ବାସଭବନରେ ହେବାକୁ ଥିବା ବୈଠକରେ ୩ ଦଳ ମଧ୍ୟରେ ସରକାର ଗଠନ ସମ୍ପର୍କିତ ସୂତ୍ର ଓ ମନ୍ତ୍ରିମଣ୍ଡଳ ଭାଗବଣ୍ଟା ସମ୍ପର୍କରେ ଆଲୋଚନା କରାଯିବ। ବିଭିନ୍ନ ପ୍ରସଙ୍ଗ ଉପରେ ଧର୍ମନିରପେକ୍ଷ ହେବା ଓ ହିନ୍ଦୁତ୍ୱ ଏଜେଣ୍ଡା ପରିହାର କରିବା ଲାଗି କଂଗ୍ରେସ ଶିବସେନାକୁ କହିସାରିଛି। ସରକାରରେ କଂଗ୍ରେସ ଯୋଗଦେବା ଲାଗି ଏନ୍‌ସପିି କହୁଥିବାବେଳେ ତା’ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନ ଶେଷକରିବା ଲାଗି କଂଗ୍ରେସ ଚାହୁଛି। ଏଣୁ ସୋନିଆ-ପାଓ୍ବାରଙ୍କ ଏହି ଆଲୋଚନା ସରକାର ଗଠନର ରାସ୍ତା ଫିଟାଇବା ସହ ମହାରାଷ୍ଟ୍ରରେ ସମୀକରଣ ବଦଳାଇବ ବୋଲି କୁହାଯାଉଛି।

Share