Categories: ଜାତୀୟ

ସୋନିଆଙ୍କୁ ସମାଲୋଚନା କରୁଥିବା ଶିବସେନା ଏବେ ଠାକରେଙ୍କ ସ୍ବପ୍ନ ପୂରଣ ପାଇଁ କଂଗ୍ରେସର ଦ୍ୱାରସ୍ଥ

ନୂଆଦିଲ୍ଲୀ,୧୨।୧୧: ରାଜନୀତିରେ ବନ୍ଧୁତା ଅବା ଶତ୍ରୁତା ବେଶୀ ଦିନ ତିଷ୍ଠି ନ ଥାଏ। ଏହା ଏବେ ପ୍ରମାଣିତ ହେବାକୁ ଯାଉଛି। ମହାରାଷ୍ଟ୍ର ରାଜନୀତି ଏବେ ଏମିତି ମୋଡ ନେଇଛି ଯାହା ଏବେ ଏହି ଉକ୍ତିକୁ ପ୍ରମାଣ କରୁଛି। ଅତୀତରେ ଶିବସେନା ମୁଖ୍ୟ ବାଲାସାହେବ ଠାକରେ କଂଗ୍ରେସକୁ ସବୁବେଳେ ସମାଲୋଚନା କରୁଥିଲେ। ହେଲେ ଏବେ ସେହି ବାଲାସାହେବ ଠାକରେଙ୍କ ସ୍ବପ୍ନ ପୂରଣ କରିବାକୁ କଂଗ୍ରେସ ଆଗରେ ହାତ ପାତିଛି ଶିବସେନା। ସୋନିଆଙ୍କୁ ଇଟାଲିୟନ ମମ୍ମି କହୁଥିବା ବାଲାସାହେବଙ୍କ ଦଳ ଏବେ କଂଗ୍ରେସକୁ ମାଗୁଛି ସମର୍ଥନ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ସ୍ବପ୍ନ ଦେଖୁଥିବା ଶିବସେନା ଭାଜପାଠାରୁ ଦୂରେଇ ଆସିବା ପରେ ଏବେ ସରକାର ଗଠନ ଲାଗି ଏନ୍‌ସିପି ଓ କଂଗ୍ରେସର ସହଯୋଗ ଲୋଡିଛି। ସୂଚନାଯୋଗ୍ୟ, ମନମୋହନ ସିଂଙ୍କ ସରକାର ସମୟରେ ୨୦୧୦ରେ ବାଲାସାହେବ ଠାକରେ ସାମନାର ଏକ ଆର୍ଟିକଲ ଜରିଆରେ କଂଗ୍ରେସ ଉପରେ ଖୁବ୍‌ ବର୍ଷିଥିଲେ। ସେଥିରେ ସେ କହିଥିଲେ ମୁମ୍ବାଇ ସମସ୍ତଙ୍କର ହୋଇ ପାରିବ ହେଲେ ଇଟାଲିୟନ ମମ୍ମିଙ୍କର ନୁହେଁ। ଏହା ସେ ସୋନିଆଙ୍କ ଉଦ୍ଦେଶ୍ୟରେ କହିଥିଲେ। ଏବେ କିନ୍ତୁ ଏହାର ଓଲଟା ଚିତ୍ର ଦେଖାଦେଇଛି।

Share