Categories: ଖେଳ

ସେଲ୍‌ଫ ଆଇସୋଲେଶନ ନିୟମ ଭଙ୍ଗ କରିବା ଲାଗି କ୍ଷମା ପ୍ରାର୍ଥନା କଲେ ଜୋଭିକ୍‌

ମାଡ୍ରିଡ୍‌, ୨୦।୩(ଏଏଫ୍‌ପି)- ରିୟଲ ମାଡ୍ରିଡ୍‌ ଷ୍ଟ୍ରାଇକର ଲୁକା ଜୋଭିକ୍‌ ସେଲଫ ଆଇସୋଲେଶନ ନିୟମ ଭଙ୍ଗ କରି ସର୍ବିୟା ଯାତ୍ରା କରିଛନ୍ତି। ତାଙ୍କୁ ସ୍ବଦେଶ ଫେରିବା ଲାଗି ଅନୁମତି ମିଳିଥିଲା ବୋଲି ସେ ଦାବି କରିଛନ୍ତି। କ୍ଲବର ଜଣେ ବାସ୍କେଟବଲ ଖେଳାଳିଙ୍କ ରିପୋର୍ଟ ପଜେଟିଭ ଆସିବା ପରେ ରିୟଲ ମାଡ୍ରିଡ୍‌ ଦଳର ସମସ୍ତ ଖେଳାଳିଙ୍କୁ ଗତ ସପ୍ତାହରେ କ୍ୱାରାଣ୍ଟାଇନ କରାଯାଇଥିଲା। କିନ୍ତୁ ଏକ ସ୍ପାନିଶ ଖବର କାଗଜ ଅନୁଯାୟୀ, ବେଲଗ୍ରେଡଠାରେ ପହଞ୍ଚିବା ପରେ ୨୨ ବର୍ଷୀୟ ଫରଓ୍ବାର୍ଡ ରାଜଧାନୀ ରାସ୍ତାରେ ନିଜ ମହିଳା ବାନ୍ଧବୀଙ୍କ ଜନ୍ମ ଦିନ ପାଳନ କରିଥିବା ଦେଖିବାକୁ ମିଳିଥିଲା। ଏ ନେଇ ପୋଲିସ ତାଙ୍କ ବିରୋଧରେ କୌଣସି ମାମଲ ରୁଜୁ କରିଛି କି ନାହିଁ ସ୍ପଷ୍ଟ ହୋଇନାହିଁ। ମୁଁ ନିଜ ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରୁଛି। ମାଡ୍ରିଡ୍‌ରେ ଥିବାବେଳେ ମୋ ଟେଷ୍ଟ ହୋଇଥିଲା ଓ ଏହା ନେଗେଟିଭ ଆସିଥିଲା। ଏଣୁ ମୁଁ ଆମ ଲୋକଙ୍କୁ ସାହାଯ୍ୟ ଓ ସମର୍ଥନ କରିବା ପାଇଁ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲି। ଏଥିନେଇ କ୍ଲବ ମୋତେ ଅନୁମତି ଦେଇଥିଲା। ମୁଁ ସର୍ବିୟାରେ ପହଞ୍ଚିବା ପରେ ମୋର ଟେଷ୍ଟ ହୋଇଥିଲା। ଆଉ ଏହା ନେଗେଟିଭ ଆସିଥିଲା। ଯାତ୍ରା କରିବା ଉପରେ କୌଣସି କଟକଣା ଲଗାଯାଇ ନ ଥିଲା, ମୋତେ କେହି ଏ ସମ୍ପର୍କରେ ଜଣାଇ ନ ଥିଲେ। ମୋ କାର୍ଯ୍ୟ ଦ୍ୱାରା କାହାକୁ କଷ୍ଟ ଦେଇଥିଲେ, ସେଥିନେଇ ମୁଁ କ୍ଷମା ପ୍ରାର୍ଥନା କରୁଛି।

Share