ସେଲିବ୍ରିଟି ଦନ୍ତା

କଲମ୍ବୋ: କିଛିଦିନ ତଳେ ଜାତୀୟ ତଥା ଅନ୍ତର୍ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଥିଲା ‘ଟିକାରି’। କୁପୋଷଣର ଶିକାର ହୋଇଥିବା ହାତୀର କଙ୍କାଳସାର ଶରୀର ଭାଇରାଲ ହୋଇଥିଲା ସୋସିଆଲ ମିଡିଆରେ। ଜୀର୍ଣ୍ଣଶୀର୍ଣ୍ଣ ଶରୀର ସତ୍ତ୍ୱେ ଅମାନବୀୟ ଭାବେ ‘ଟିକାରି’କୁ ସାମିଲ କରାଯାଇଥିଲା ଏସାଲା ସମାରୋହରେ। ଏହାର କିଛିଦିନ ପରେ ଖାଦ୍ୟାଭାବରୁ ପ୍ରାଣ ହରାଇଥିଲା ୭୦ ବର୍ଷୀୟା ଉକ୍ତ ମାଈ ହାତୀ। ଏହି ଘଟଣା ସେତେବେଳେ ଦୋହଲାଇ ଦେଇଥିଲା ସମଗ୍ର ବିଶ୍ୱକୁ। ଏବେ ପୁଣି ଥରେ ଏକ ଦନ୍ତା ହାତୀକୁ ନେଇ ଚର୍ଚ୍ଚାର ପରିଧିକୁ ଆସିଛି ଏହି ଦ୍ୱୀପ ଦେଶ। ହେଲେ ଏଥର କୁପୋଷଣ ପାଇଁ ନୁହେଁ, ବରଂ ହାତୀ ଭଳି ବୃହତ୍‌କାୟ ଜୀବର ସୁରକ୍ଷା ବନ୍ଦୋବସ୍ତକୁ ନେଇ।
ଭିଭିଆଇପି ସୁରକ୍ଷା ବଳୟ ଭିତରେ ରଖାଯାଇଥିବା ଉକ୍ତ ଦନ୍ତାର ନାମ ନଡୁନଗମଓ୍ବା ରାଜା। ସାଢ଼େ ୧୦ ଫୁଟ ଉଚ୍ଚତା ଏବଂ ୬୫ ବର୍ଷୀୟ ଏହି ହାତୀ ସୁରକ୍ଷାରେ ମୁତୟନ ହୋଇଛନ୍ତି ସଶସ୍ତ୍ର ଯବାନ। ଦିନରାତି ଛାଇ ଭଳି ଜଗି ରହୁଛନ୍ତି ସୁରକ୍ଷା କର୍ମୀ। ନଡୁନଗମଓ୍ବା ରାଜା ହେଉଛି ଦେଶର ସର୍ବବୃହତ୍‌ ପାଳିତ ହାତୀ। ପ୍ରତିବର୍ଷ ଅଗଷ୍ଟରେ ବୁଦ୍ଧଙ୍କ ଦେହାବଶେଷକୁ ନେଇ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥାଏ। ଏହି ଶୋଭାଯାତ୍ରା ଦୀର୍ଘ ୯୦କିମି ପରିକ୍ରମା କରି କାଣ୍ଡି ହିଲ୍‌ ରିସର୍ଟ ପର୍ଯ୍ୟନ୍ତ ଯାଇଥାଏ। ଏଥିରେ ପାଖାପାଖି ୧୦୦ ହାତୀ ସାମିଲ ହୋଇଥାନ୍ତି। ହେଲେ ସମସ୍ତଙ୍କ ପ୍ରଥମ ପସନ୍ଦ ନଡୁନଗମଓ୍ବା ରାଜା। ୨୦୧୫ ସେପ୍ଟେମ୍ବରରେ ରାସ୍ତାରେ ଯାଉଥିବାବେଳେ ହାତୀକୁ ଏକ ବାଇକ୍‌ ଧକ୍କା ଦେଇଥିଲା। ଏହି ଦୃଶ୍ୟ ଭିଡିଓରେ କଏଦ ହୋଇଥିଲା। ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ସରକାର। ମାଲିକଙ୍କୁ ହାତୀ ସୁରକ୍ଷା ନେଇ ନିର୍ଭର ପ୍ରତିଶ୍ରୁତି ଦିଆଯାଇଥିଲା। ଏହାପରେ ଦନ୍ତା ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା। କେବଳ ଏତିକି ନୁହେଁ, ହାତୀଟିର ଯତ୍ନ ନେବାକୁ ୨ଜଣ ତାଲିମପ୍ରାପ୍ତ ମାହୁନ୍ତ ମଧ୍ୟ ନିୟୋଜିତ ହୋଇଛନ୍ତି।

Share