Categories: ଖେଳ

ସେରେନାଙ୍କ ଟେନିସ୍‌ ଭବିଷ୍ୟତ ନେଇ ସନ୍ଦେହ

ପ୍ୟାରିସ, ୨ା୬-ଶନିବାର ଫ୍ରେଞ୍ଚ ଓପନ ପ୍ରତିଯୋଗିତାର ତୃତୀୟ ରାଉଣ୍ଡରୁ ବିଦାୟ ନେବା ପରେ ସେରେନା ଓ୍ବିଲିୟମ୍ସଙ୍କ ଟେନିସ୍‌ ଭବିଷ୍ୟତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆମେରିକାର ଏହି ଖେଳାଳି ଶନିବାର ନିଜ ଦେଶରୁ ସୋଫିଆ କେନିନ୍‌ଙ୍କଠାରୁ ୬-୨, ୭-୫ ସେଟ୍‌ରେ ହାରିଯାଇଛନ୍ତି। ସେପ୍ଟେମ୍ବରରେ ସେରେନା ୩୮ବର୍ଷ ବୟସରେ ପଦାର୍ପଣ କରିବେ। ୨୦୧୭ରେ ଅଷ୍ଟ୍ରେଲିଆନ ଓପନ ଟାଇଟଲ ପରଠାରୁ କୌଣସି ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଜିତିପାରି ନାହାନ୍ତି, ଯେତେବେଳେ କି ସେ ଗର୍ଭବତୀ ଥିଲେ। ୨୦୧୭ ସେପ୍ଟେମ୍ବରରେ କନ୍ୟା ସନ୍ତାନ ଅଲିମ୍ପିଆ ଆଲେକ୍ସିସ୍‌ଙ୍କୁ ଜନ୍ମ ଦେବା ପରେ ୨୦୧୮ରେ ରୋଲାଣ୍ଡ ଗ୍ୟାରୋସ୍‌ଠାରେ ସେ ଗ୍ରାଣ୍ଡସ୍ଲାମ ଟେନିସ୍‌କୁ ପ୍ରତ୍ୟାାବର୍ତ୍ତନ କରିଥିଲେ। ମାତ୍ର ସେଠାରେ ସେ ପ୍ରି-କ୍ୱାର୍ଟରରୁ ବିଦାୟ ନେଇଥିଲେ। ପ୍ୟାରିସଠାରେ ସେ ୨୦୦୨, ୨୦୧୩ ଏବଂ ୨୦୧୫ ପରେ ଚତୁର୍ଥ ଟାଇଟଲ ଅଭିଯାନରେ ବିଫଳ ହୋଇଛନ୍ତି। ୨୦୧୮ ଓ୍ବିମ୍ବେଲଡନ ଫାଇନାଲରେ ତାଙ୍କୁ ଆଞ୍ଜେଲିକ୍‌ କର୍ବରଙ୍କଠାରୁ ପରାଜିତ ହେବାକୁ ପଡ଼ିଛି। ଜାନୁୟାରୀରେ କାରୋଲିନା ପ୍ଲିସ୍‌କୋଭାଙ୍କ ବିପକ୍ଷ କ୍ୱାର୍ଟରଫାଇନାଲରେ ପରାଜୟ ଦ୍ୱାରା ତାଙ୍କ ଅଷ୍ଟ୍ରେଲିଆନ ଓପନ ଅଭିଯାନ ଶେଷ ହୋଇଥିଲା। ମେଲବୋର୍ନ ପରେ ସେ ତିନୋଟି ଟୁର୍ନାମେଣ୍ଟରେ ଆଘାତଜନିତ କାରଣରୁ ଆଧାରୁ ଓହିଯାଇଛନ୍ତି। ଇଣ୍ଡିଆନ ଓ୍ବେଲ୍ସରେ ଗାର୍ବିନ ମୁଗୁରୁଜା ବିପକ୍ଷ ତୃତୀୟ ରାଉଣ୍ଡ ମ୍ୟାଚରୁ ଓହରିଯାଇଥିଲେ। ସେହିପରି ମାୟାମିଠାରେ ପ୍ରଥମ ରାଉଣ୍ଡରେ ବିଜୟ ହାସଲ ପରେ ଏବଂ ଡାହାଣ ଆଣ୍ଠୁରେ ଆଘାତ ଯୋଗୁ ରୋମ୍‌ରେ ଗୋଟିଏ ରାଉଣ୍ଡ ମ୍ୟାଚ ଜିତିବାପରେ ଓହରିଯାଇଥିଲେ। ଏହା ସତ୍ତ୍ୱେ ୨୩ ଗ୍ରାଣ୍ଡସ୍ଲାମ ବିଜୟିନୀ ଆମେରିକାର ଏହି ଷ୍ଟାର ଖେଳାଳି ଆହୁରି କିଛି ବର୍ଷ ଧରି ଟେନିସ ଖେଳିବେ ବୋଲି ଦୃଢତାର ସହିତ କହୁଛନ୍ତି।

Share