ସେବା ଯୋଗାଇବ ସିଟି ଆପ୍‌ ‘ଭୁବନେଶ୍ୱର ଡଟ୍‌ ମି’: ମିଳିବ ପାର୍କଠାରୁ ଐତିହ୍ୟସ୍ଥଳ ଯାଏ ତଥ୍ୟ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଆସୁଥିବା ପର୍ଯ୍ୟଟକ କିମ୍ବା ସହରରେ ରହୁଥିବା ବାସିନ୍ଦାଙ୍କୁ ଆଉ ପାର୍କ କିମ୍ବା ଐତିହ୍ୟସ୍ଥଳ ଖୋଜିବାକୁ ପଡ଼ିବନି। ସହରର ଯେକୌଣସି ସ୍ଥାନ ବିଷୟରେ ସୂଚନା ଦେବା ପାଇଁ ସ୍ମାର୍ଟସିଟି ପକ୍ଷରୁ ଏକ ସିଟି ମୋବାଇଲ୍‌ ଫୋନ୍‌ ଆପ୍‌ ‘ଭୁବନେଶ୍ୱର ଡଟ୍‌ ମି’ ପ୍ରସ୍ତୁତ ହୋଇଛି। ଏହି ଆପ୍‌ ମାଧ୍ୟମରେ ଲୋକେ ପାର୍କଗୁଡ଼ିକର ରେଟିଂ ସହ ମତାମତ ଦେଇପାରିବେ। ଏହାଦ୍ୱାରା କେଉଁ ପାର୍କରେ କ’ଣ ସମସ୍ୟା ରହିଛି ତାହା ଅଧିକାରୀଙ୍କ ଦୃଷ୍ଟିରେ ପଡ଼ିବା ସହିତ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ରବିବାର ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ) ପକ୍ଷରୁ ସୂଚନା ଦିଆଯାଇଛି।
ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ଏହି ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ କରାଯାଉଥିବାବେଳେ ପରବର୍ତ୍ତୀ ସମୟରେ ଅନ୍ୟ ସ୍ମାର୍ଟସିଟିଗୁଡ଼ିକରେ ଏପରି ଆପ୍‌ ଓ ବ୍ୟବସ୍ଥା ପ୍ରଚଳନ କରାଯିବ। ସହରକୁ ଆସୁଥିବା ଅତିଥି ବା ସହରର ନାଗରିକଙ୍କୁ ପାର୍କର ଅବସ୍ଥିତି ବିଷୟରେ ଜଣାଇବା ସହ ଏଠାରେ ଥିବା ମୌଳିକ ସୁବିଧା ସମ୍ବନ୍ଧରେ ଏହି ଆପ୍‌ରେ ସୂଚନା ମିଳିବ। ସ୍ମାର୍ଟସିଟିର ଏକ ଟିମ୍‌ ଏହି ଆପ୍‌ ପ୍ରସ୍ତୁତିରେ ଲାଗିପଡ଼ିଛି। ଏହି ପ୍ରସ୍ତାବିତ ଆପ୍‌ ଦ୍ୱାରା ରାଜଧାନୀର ପାର୍କ, ବଜାର, ଐତିହ୍ୟସ୍ଥଳ, ଜଳାଶୟ, ଜଳଧାର, ପରିବହନ ପାଇଁ ବ୍ୟବହୃତ ସ୍ଥାନ ଏବଂ ରାସ୍ତାଗୁଡ଼ିକ ସମ୍ପର୍କିତ ତଥ୍ୟ ଆଦି ରହିବ। ଏହି ଆପ୍‌ ଲୋକଙ୍କ ମତାମତ ଉପରେ ପର୍ଯ୍ୟବସିତ ହେବ ଓ ସମସ୍ତ ଅପ୍‌ଡେଟ ତଥା ମତାମତକୁ ମୂଳ ଡାଟାବେସରେ ପ୍ରଦର୍ଶିତ କରାଯିବ।
ଉଲ୍ଲେଖଯୋଗ୍ୟ, ସ୍ମାର୍ଟସିଟି ମିଶନ ଅଧୀନରେ କାର୍ଯ୍ୟ କରୁଥିବା ସ୍ମାର୍ଟସିଟି ଫେଲୋମାନଙ୍କୁ ନେଇ ଗଠିତ ଟିମ୍‌ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକରୁଛନ୍ତି। ଭିନ୍ନ ଭିନ୍ନ କ୍ଷେତ୍ରରୁ ଆସିଥିବା ଏହି ଫେଲୋମାନେ ଭାରତର ସମସ୍ତ ସ୍ମାର୍ଟସିିିଟି ଗସ୍ତକରି ଅଭିଜ୍ଞତା ଅର୍ଜନ କରୁଛନ୍ତି। ଏହାସହିତ ନୂଆ ନୂଆ ସୂତ୍ର ଏବଂ ଉପାଦାନଗୁଡିକୁ କାର୍ଯ୍ୟକାରୀ କରାଇବା ଯୋଜନାରେ ଅଛନ୍ତି।
ଅନ୍ୟପକ୍ଷରେ ସହରର ପିଲାମାନଙ୍କୁ ପାର୍କ ସହିତ ଜଡ଼ିତ ରଖିବା ପାଇଁ ରବିବାର ବିଏସ୍‌ସିଏଲ ପକ୍ଷରୁ ପୋଖରୀପୁଟସ୍ଥିତ ମଧୁସୂଦନ ପାର୍କରେ ଏକ ଚିତ୍ରାଙ୍କନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ‘ମାଇଁ ଡ୍ରିମ୍‌ ପାର୍କ’ ନାମକ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ପିଲାମାନେ ଭାଗନେଇ ଚିତ୍ରାଙ୍କନ କରିବା ସହ ନିଜେ ଚାହୁଁଥିବା ପାର୍କର ଭିନ୍ନ ପରିକଳ୍ପନା ଆଣିଥିଲେ।