ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପଦ୍ମ ପୁରସ୍କାର ଆବେଦନ

ଭୁବନେଶ୍ୱର,୪ା୭(ବ୍ୟୁରୋ): ପଦ୍ମ ପୁରସ୍କାର-୨୦୨୦ ପାଇଁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବ। ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଁ ଅନ୍‌ଲାଇନ ଆବେଦନ ଗତ ମେ’ ୧ ରୁ ଆରମ୍ଭ ହୋଇଛି। ଏଥିପାଇଁ ରହିଥିବା ସ୍ବତନ୍ତ୍ର ପୋର୍ଟାଲ https://padmaawards.gov.inରେ ଆବେଦନ ଗ୍ରହଣ କରାଯିବ। ସମସ୍ତ କ୍ଷେତ୍ର ଓ ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟକୁ ମାନ୍ୟତା ଦେବା ତଥା ବିଶିଷ୍ଟ ଏବଂ ଅସାଧାରଣ ସେବା ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ବର୍ଗ, ପେସା, ପଦବୀ ଏବଂ ଲିଙ୍ଗଗତ ନିର୍ବିଶେଷରେ ସମସ୍ତ ବ୍ୟକ୍ତିବିଶେଷ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ। ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ବାଦ ଦେଲେ ସରକାରୀ ଚାକିରିଆ କିମ୍ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ କାର୍ଯ୍ୟ କରୁଥିବା ଲୋକମାନେ ଏହି ପୁରସ୍କାର ପାଇବା ଲାଗି ଯୋଗ୍ୟ ନୁହନ୍ତି। କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାର, ଭାରତରତ୍ନ ଏବଂ ପଦ୍ମ ବିଭୂଷଣ ପୁରସ୍କାର ବିଜେତା, ଉତ୍କର୍ଷ ସଂସ୍ଥାନଗୁଡ଼ିକର ଏଭଳି ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କ ନାମକୁ ପୁରସ୍କାର ପାଇଁ ସୁପାରିସ କରିବାକୁ କୁହାଯାଇଛି। ପ୍ରତିଭା ସମ୍ପନ୍ନ ମହିଳା, ସମାଜର ଦୁର୍ବଳ ବର୍ଗର ଲୋକ, ଅନୁସୂଚିତ ଜାତି ଏବଂ ଜନଜାତି, ଦିବ୍ୟାଙ୍ଗ ଜନ ଏବଂ ସମାଜ ପ୍ରତି ନିଃସ୍ବାର୍ଥପର ସେବା କରିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବା ଲାଗି ଅନୁରୋଧ କରାଯାଇଛି। ଏପର କି ନିଜସ୍ବ ନାମାଙ୍କନ ସମେତ ସମସ୍ତ ନାଗରିକ ପୁରସ୍କାର ଲାଗି ସୁପାରିସ କରିପାରିବେ।