Categories: ବାଣିଜ୍ୟ

ସେନ୍‌ସେକ୍ସ ୬୨୪ ପଏଣ୍ଟ ହ୍ରାସ

ମୁମ୍ବାଇ,୧୪-୮: ଦେଶର ଅର୍ଥନୀତିକୁ ଗତିଶୀଳ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ୟାକେଜ ଘୋଷଣାରେ ବିଳମ୍ବ ତଥା ବିଶ୍ୱ ବଜାରରେ ଦେଖାଦେଇଥିବା ଅସ୍ଥିରତା କାରଣରୁ ମଙ୍ଗଳବାର ଭାରତୀୟ ଷ୍ଟକ୍‌ ବଜାର ପ୍ରଭାବିତ ହୋଇଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସ ୬୨୪ ପଏଣ୍ଟ ହ୍ରାସ ପାଇଥିବା ବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ପ୍ରଥମଥର ୧୧ ହଜାର ପଏଣ୍ଟ ତଳକୁ ଖସିଆସିଛି। ଫଳରେ ନିବେଶକ ଗୋଟିଏ ଦିନରେ ୨.୨୧ ଲକ୍ଷ କୋଟି ଟଙ୍କ ହାରାଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ଅଧ୍ୟକ୍ଷ ମୁକେଶ ଅମ୍ବାନୀ କମ୍ପାନୀର ବାର୍ଷିକ ଏଜିଏମ୍‌ରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିବା ଯୋଗୁ ମଙ୍ଗଳବାର ଏହାର ଶେୟାର ରେକର୍ଡ ସ୍ତରରେ ବୃଦ୍ଧି ପାଇଥିଲେ ସୁଦ୍ଧା ସେନ୍‌ସେକ୍ସ ବୃଦ୍ଧିରେ ଏହା ସହାୟକ ହୋଇପାରି ନ ଥିଲା। ମଙ୍ଗଳବାର ସେନ୍‌ସେକ୍ସ ୬୨୩.୭୫ ପଏଣ୍ଟ ହ୍ରାସ ପାଇ ୩୬,୯୫୮.୧୬ରେ ଏବଂ ନିଫ୍ଟି ୧୮୩.୮୦ ପଏଣ୍ଟ କମି ୧୦,୯୨୫.୮୫ରେ ବନ୍ଦ ହୋଇଛି।
ବିଶେଷଜ୍ଞଙ୍କ କହିବାନୁଯାୟୀ, ଦେଶର ଅର୍ଥନୀତିକୁ ଆଗେଇ ନେବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଅଦ୍ୟାବଧି ସେଦିଗରେ କୌଣସି ପଦକ୍ଷେପ ଘୋଷଣା ନ ହେବା ନିବେଶକଙ୍କୁ ନିରାଶ କରିଛି। ସେହିପରି ଅତି ଧନୀ ଏବଂ ଫରେନ୍‌ ପୋର୍ଟଫୋଲିଓ ଇନ୍‌ଭେଷ୍ଟର(ଏଫ୍‌ପିଆଇ)ଙ୍କ ଉପରୁ ସରଚାର୍ଜ ପ୍ରତ୍ୟାହାର ନେଇ ଅର୍ଥମନ୍ତ୍ରୀ ଚୁପ୍‌ ରହିବା ମଧ୍ୟ ନିବେଶକଙ୍କୁ ହତୋତ୍ସାହିତ କରିଛି।
ଅନ୍ୟପକ୍ଷରେ ଆର୍ଜେଣ୍ଟିନା ମୁଦ୍ରା ‘ପେସୋ’ ମୂଲ୍ୟ ହ୍ରାସ ତୀବ୍ର ହେବା ମଧ୍ୟ ଏସିଆର ମୁଦ୍ରା ବଜାରକୁ ବିଚଳିତ କରିଛି। ଏହାର ପ୍ରଭାବ ସମସ୍ତ ଏସୀୟ ରାଷ୍ଟ୍ରର ଷ୍ଟକ୍‌ ଏକ୍ସଚେଞ୍ଜରେ ମଙ୍ଗଳବାର ଦେଖିବାକୁ ମିଳିଛି। ଆର୍ଜେଣ୍ଟିନା ନିର୍ବାଚନରେ ଜନତା ବିରୋଧୀ ଦଳକୁ ଭାରି ବହୁମତରେ ଭୋଟ୍‌ ଦେଇ ଜିତାଇବା ପରେ ଦେଶର ମୁଦ୍ରା ପେସୋ ରାତାରାତି ୩୦ ପ୍ରତିଶତ ହ୍ରାସ ପାଇଥିଲା। ସେହିପରି ଚାଇନା ନିଜର ମୁଦ୍ରା ୟୁଆନ ଉଚିତ୍‌ ସ୍ତରରେ ରହିଥିବା କହିବା ସତ୍ତ୍ୱେ ବଜାର ଏହାକୁ ସକାରାମତ୍କ ଭାବେ ଗ୍ରହଣ କରିପାରି ନ ଥିଲା। ଅପରପକ୍ଷରେ ଦେଶର ମାନୁଫାକ୍‌ଚରିଂ ସେକ୍ଟର ଉତ୍ପାଦନ ଜୁନ୍‌ରେ ୪ ମାସରେ ସର୍ବନିମ୍ନ ସ୍ତର ୨ ପ୍ରତିଶତରେ ପହଞ୍ଚତ୍ବା ଷ୍ଟକ୍‌ ବଜାର ପାଇଁ ନକାରାମତ୍କ ହୋଇଛି।

Share