ସୃଷ୍ଟିକର୍ତ୍ତା ଭାବି ବସିଲେଣି

କିଛି ବର୍ଷ ତଳେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ସୂଚନାଫଳକ ଜରିଆରେ ଜଣାଇ ଦିଆଯାଇଥିଲା ଯେ, ‘ଅଜଣା ବସ୍ତୁ ଦେଖିବାମାତ୍ରେ ସେଗୁଡ଼ିକୁ ଛୁଅନ୍ତୁ ନାହିଁ, ଯାହା ବୋମା ହୋଇଥାଇପାରେ’। ଭାରତ ସରକାର ଏବେ ସେଭଳି କାର୍ଯ୍ୟ କରୁଥିବା ପରି ମନେହେଉଛି। ସବୁ ଆଞ୍ଚଳିକ ସମସ୍ୟାକୁ ବୁଝିବା କଷ୍ଟକର ହୋଇଥିବା ବେଳେ ଏହି ସରକାର ମନଇଚ୍ଛା ଆଇନ ପ୍ରଣୟନ କରିଚାଲିଛନ୍ତି। ନିଜର ପୁରୁଣା ‘ଏଜେଣ୍ଡା’ ବା ରାଜନୈତିକ କାର୍ଯ୍ୟସୂଚୀକୁ ପୂରଣ କରିବାକୁ ଯାଇ ଅନେକ ଅନାବଶ୍ୟକ ବିଭ୍ରାଟ ସୃଷ୍ଟି କରିଦିଆଯାଉଛି। ବାସ୍ତବରେ ଦେଖିବାକୁ ଗଲେ ୧୯୪୭ ପୂର୍ବରୁ ଭାରତର ମାନଚିତ୍ର କେବେହେଲେ କଶ୍ମୀରରୁ କନ୍ୟାକୁମାରୀ- ଗୁଜରାଟରୁ ଅରୁଣାଚଳ ନ ଥିଲା। ଆଜିର ପିଢ଼ିକୁ ବୁଝିବାକୁ ହେବ ଯେ, ଐତିହାସିକ ସ୍ଥିତିକୁ ଦେଖିଲେ ଭାରତକୁ ଗୋଟିଏ ଦେଶ ବୋଲି କହିବା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ। ଧର୍ମ ମାଧ୍ୟମରେ ରାଷ୍ଟ୍ର ସୃଷ୍ଟି ହୁଏ ନାହିଁ। ନାଗରିକର ଇଚ୍ଛା, ଅର୍ଥନୈତିକ ଉନ୍ନତି, ସାମାଜିକ ଶାନ୍ତି ଭଳି ଅନେକ ଇଣ୍ଡେକ୍ସ ବା ସୂଚକାଙ୍କର ମିଳନ ହେଲେ ଏକ ଆଧୁନିକ ଦେଶ ଗଢ଼ିଉଠେ। କୌଣସି ରାଜନୈତିକ ଦଳ, ଅମଲାତନ୍ତ୍ର କିମ୍ବା ବିଚାର ବ୍ୟବସ୍ଥା ମାଧ୍ୟମରେ ଦେଶ ସୃଷ୍ଟି କରାଯାଇପାରେ ନାହିଁ। ଅନ୍ୟ ବାଟରେ କହିବାକୁ ଗଲେ ନାଗରିକଙ୍କ ସହମତିରୁ ସୃଷ୍ଟି ହୋଇଥିବା ଦେଶରେ ଏମାନଙ୍କର ଦାୟିତ୍ୱ ରହିଥାଏ। ସୃଷ୍ଟିକର୍ତ୍ତା ଭାବେ ନୁହେଁ, କାର୍ଯ୍ୟକର୍ତ୍ତା ଭାବେ ଏମାନଙ୍କୁ ବିଭିନ୍ନ କର୍ତ୍ତବ୍ୟ କରିବାକୁ ପଡ଼େ। ଦୁଃଖର ବିଷୟ, ଭାରତବର୍ଷରେ ଏହି ଅଙ୍ଗଗୁଡ଼ିକ ଏବେ ରାଷ୍ଟ୍ରର ସୃଷ୍ଟିକର୍ତ୍ତା ବୋଲି ନିଜକୁ ଧରି ବସିଲେଣି। ସେଥିପାଇଁ ଭାରତ ଭଳି ଏକ ବିରାଟକାୟ ଦେଶର ବିବିଧତାକୁ ବୁଝିବାରେ ଅସମର୍ଥ ବ୍ୟକ୍ତିବିଶେଷ କେବଳ ସେମାନଙ୍କୁ ସୁହାଇଲା ଭଳି ‘ଏକତା’ ପାଇଁ ପ୍ରୟାସ କରୁଛନ୍ତି। କିନ୍ତୁ ସେଭଳି ଏକତାକୁ ବଜାୟ ରଖିବା କେବଳ ଯେ କଷ୍ଟକର ତା’ ନୁହେଁ, ଭବିଷ୍ୟତରେ ଏଭଳି ନିଷ୍ପତ୍ତି ଦେଶକୁ ଖଣ୍ଡବିଖଣ୍ଡ କରିପାରେ। କୌତୂହଳର ବିଷୟ ହେଉଛି, ଆଜି ଏକତା ପାଇଁ ଚିତ୍କାର କରୁଥିବା ସାଧାରଣ ନାଗରିକ ନିଜ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ଝଗଡ଼ା କରି ସମ୍ପର୍କ ତୁଟାଇ ଦେଉଥିବା ବେଳେ ଭୁଲିଯାଉଛି ଯେ ତାଙ୍କ ନିଜସ୍ବ ପୂର୍ବ ରାଜନୈତିକ ଅନ୍ଧବିଶ୍ୱାସ ଯୋଗୁ ଦେଶରେ ଆଜିର ଦୁର୍ଦ୍ଦଶା ଦେଖିବାକୁ ପଡ଼ୁଛି। ସେଥିପାଇଁ ସଚେତନ ହୋଇ ପୁନର୍ବାର ଅନ୍ୟ ଏକ ଗାତରେ ପଡ଼ିବା ଉଚିତ ନୁହେଁ। ଅର୍ଥାତ୍‌ ଧର୍ମ ନାମରେ ରାଷ୍ଟ୍ରନୀତି ପରିଚାଳନାକୁ ସମର୍ଥନ ଜଣାଉଥିବା ନାଗରିକ ନିଜର ତ୍ରୁଟିକୁ ଭବିଷ୍ୟତରେ ପୁନର୍ବାର ଅନୁଶୋଚନା କରିବେ।
କିଛି ମାସ ପୂର୍ବରୁ ବିନା ପ୍ରସ୍ତୁତିରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଆସାମ ଓ ଏହାର ପଡ଼ୋଶୀ ରାଜ୍ୟଗୁଡ଼ିକରେ ଲାଗୁ କରାଇ ଦିଆଗଲା। ସେତେବେଳେ ଏଥିରେ ଅନେକ ତ୍ରୁଟିବିଚ୍ୟୁତି ରହିଥିବା ଲକ୍ଷ୍ୟ କରାଯାଇଥିଲା। ଧର୍ମ ଆଧାରରେ କେବଳ ନୁହେଁ, ବାସିନ୍ଦାଙ୍କ ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଥିଲା। ଆସାମରେ ୧୯ ଲକ୍ଷରୁ ଅଧିକ ଲୋକ ବାଦ୍‌ ପଡ଼ିଥିଲେ। ଏପରି କି ଭାରତୀୟ ସେନାରେ କାର୍ଯ୍ୟ କରି ଅବସର ନେଇଥିବା ଯବାନ ନିଜର ନାଗରିକତ୍ୱ ପ୍ରମାଣ ଦେଇ ନ ପାରିବାରୁ ଦେଶବ୍ୟାପୀ ଏନ୍‌ଆର୍‌ସି ବିତର୍କର ବଳୟକୁ ପଳାଇ ଆସିଛି। ଏଠାରେ ଉଲ୍ଲେଖଯୋଗ୍ୟ, ଉତ୍ତର-ପୂର୍ବାଞ୍ଚଳରେ ଲାଗୁ ହୋଇଥିବା ଏନ୍‌ଆର୍‌ସିକୁ ସୁପ୍ରିମ୍‌କୋର୍ଟ ସିଧାସଳଖ ତଦାରଖ କରୁଥିଲେ। ଭାରତର ସର୍ବୋଚ୍ଚ ଅଦାଲତ ପାଖରେ ଏଭଳି ଏକ ପ୍ରୟାସକୁ ତଦାରଖ କରିବାର କେଉଁଭଳି ଶକ୍ତି ଥିଲା କିମ୍ବା ଅଛି, ବୁଝିବା କଷ୍ଟକର। ସ୍ଥିତି ଅସମ୍ଭାଳ ହେବା ପରେ ଭାଜପାଶାସିତ ଆସାମରେ ମୂଳବାସିନ୍ଦା ଏହା ବିରୋଧରେ ବିକ୍ଷୋଭ ଓ ପୋଡ଼ାଜଳା କରିଛନ୍ତି। ଏବେ କୁହାଗଲାଣି ସେଠାରେ ଏନ୍‌ଆର୍‌ସି ପ୍ରକ୍ରିୟାର ପୁନଃ ଯାଞ୍ଚ କରାଯିବ। ଦେଖିବାକୁ ଗଲେ ସେହିସବୁ ଅଞ୍ଚଳରେ ବହିରାଗତଙ୍କ ସଂଖ୍ୟା ବଢ଼ି ଚାଲିବାରୁ ମୂଳବାସିନ୍ଦାମାନେ ସଂଖ୍ୟାଲଘୁ ହେବାରେ ଲାଗିଲେଣି। ଭୋଟ ବ୍ୟାଙ୍କ ବଢ଼ାଇବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକ ଅନୁପ୍ରବେଶକୁ ପ୍ରଶ୍ରୟ ଦେଇଦେଉଥିବାରୁ ମୂଳ ଅଧିବାସୀଙ୍କ ଅଧିକାର କ୍ଷୁଣ୍ଣ ହେବାରେ ଲାଗିଛି। ଏହାଦ୍ୱାରା ବାହାରୁ ଆସିଥିବା ଲୋକମାନେ ଭୋଟ ପରିଚୟପତ୍ର, ରାଶନ କାର୍ଡ ପାଇବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ସୁବିଧାକୁ ହାତେଇ ନେଉଛନ୍ତି। ଏଠାରେ ଏକ ଉଦାହରଣ ଦିଆଯାଇପାରେ। ପଶ୍ଚିମ ଓଡ଼ିଶାର ଅନେକ ପଞ୍ଚାୟତରେ ପଡ଼ୋଶୀ ରାଜ୍ୟର ଲୋକ ଅଧିକ ସଂଖ୍ୟାରେ ଆସି ବସବାସ କରିବାକୁ ଆରମ୍ଭ କଲେ ସେହି ଜିଲାର ଓଡ଼ିଆ ଅଧିବାସୀ ନିଜର ସ୍ଥିତି ହରାଇବସିବେ। ଭବିଷ୍ୟତର ସରପଞ୍ଚ ଯଦି ସେହି ବହିରାଗତଙ୍କ ମଧ୍ୟରୁ ହୁଅନ୍ତି, ତେବେ ମୂଳ ବାସିନ୍ଦା ଟଙ୍କିକିଆ ଚାଉଳଠାରୁ ଆରମ୍ଭ କରି ଜାତିଗତ ପ୍ରମାଣପତ୍ର ପର୍ଯ୍ୟନ୍ତ ସବୁକିଛି ସୁବିଧା ହରାଇବସିବେ। ଆସାମ ଓ ଅନ୍ୟ ରାଜ୍ୟରେ ଅନୁରୂପ ସମସ୍ୟା ଦେଖାଦେଉଛି। ଆସାମ ଲୋକଙ୍କ ଗ୍ରାମରେ ଅଧିକ ଅଣ-ଆସାମବାସୀ ରହିଯାଉଥିବାରୁ ସାମାଜିକ ଓ ଅର୍ଥନୈତିକ ସମସ୍ୟା ସୃଷ୍ଟି ହେଉଛି। ସେଭଳି ପ୍ରଚ୍ଛଦପଟରେ ମୂଳ ଗ୍ରାମବାସୀ ବହିରାଗତଙ୍କର ଧର୍ମକୁ ଦେଖୁନାହାନ୍ତି। ସେମାନଙ୍କ ପାଇଁ ଉଭୟ ହିନ୍ଦୁ କିମ୍ବା ମୁସଲମାନ ବହିରାଗତ ସଂଖ୍ୟାଗତ ସମସ୍ୟା ସୃଷ୍ଟି କରୁଛନ୍ତି।
ଏବେ ଆଉ ଏକ ବୋମାକୁ ଦେଖାଯାଇପାରେ। ବର୍ତ୍ତମାନ ନାଗରିକତ୍ୱ ସଂଶୋଧନ ବିଲ୍‌ (ସିଏବି) ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)ରେ ପରିଣତ ହୋଇଛି। ଏଥିରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ୩୧ ଡିସେମ୍ବର ୨୦୧୪ କିମ୍ବା ତା’ ପୂର୍ବରୁ ଭାରତକୁ ଫେରିଥିବା ହିନ୍ଦୁ, ଜୈନ, ପାର୍ସୀ, ଶିଖ୍‌, ଖ୍ରୀଷ୍ଟିଆନ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କୁ ନାଗରିକତ୍ୱ ପ୍ରଦାନ ଲାଗି ବ୍ୟବସ୍ଥା କରାଯାଇଛି। ପାର୍ଲାମେଣ୍ଟରେ ସିଏବି ଉପସ୍ଥାପିତ ହେବାଠାରୁ ତାହା ଆଇନରେ ପରିଣତ ହେବା ମଧ୍ୟରେ ଉତ୍ତର ପୂର୍ବାଞ୍ଚଳ ସମେତ ପଶ୍ଚିମବଙ୍ଗରେ ନିଆଁ ଲାଗି ଯାଇଛି। ପୋଡ଼ାଜଳା ସହ ଲୋକଙ୍କ ଜୀବନ ଯିବା ଏବଂ ଟ୍ରେନ୍‌ ଓ ବିମାନସେବା ବାଧାପ୍ରାପ୍ତ ହେବା ଭଳି ସ୍ଥିତି ଦେଖିଲେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ପ୍ରଶ୍ନ ଉଠିଲାଣି। ଯେତେବେଳେ ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି, ନିଯୁକ୍ତି ହାର କମି ଆସିଲାଣି, ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଉଛି, ଚାଷୀକୁଳର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି; ସେତେବେଳେ ଏହିଭଳି ବିରାଟକାୟ ବିଫଳତାରୁ ନଜର ହଟାଇବା ପାଇଁ ସମ୍ଭବତଃ ଅଣ-ପ୍ରସଙ୍ଗଗୁଡ଼ିକୁ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେଲା ଭଳି ମନେହେଉଛି। ଏନ୍‌ଆର୍‌ସି, ଅନୁଚ୍ଛେଦ ୩୭୦ ଓ ୩୫ଏ ହଟାଇବା, ଅଯୋଧ୍ୟା ଓ ବର୍ତ୍ତମାନ ସିଏଏ ଭଳି ପ୍ରସଙ୍ଗକୁ ଜାତୀୟକରଣ କରାଯାଇ ଭାଜପା ସରକାର ଯେଭଳି ଭାବେ ଦେଶବ୍ୟାପୀ ସବୁ ସମୟକୁ ଖବର ମଧ୍ୟରେ ରଖିବାକୁ ଚାହୁଁଛନ୍ତି, ତାହା ଦ୍ୱାରା ଜନକଲ୍ୟାଣ ଅପେକ୍ଷା ଅଧିକ ବିତର୍କିତ ବିଷୟକୁ ଭାରତବାସୀ ସାମ୍ନା କରିବାକୁ ବାଧ୍ୟ ହେଉଛନ୍ତି। ଯେହେତୁ ଦେଶବାସୀ ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ଭାଜପାକୁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଦେଇଛନ୍ତି, ସେହେତୁ ଦଳର ନେତାମାନେ ଧରିନେଲେଣି ଯେ, ସେମାନଙ୍କ ସବୁ ନିଷ୍ପତ୍ତି ଗ୍ରହଣୀୟ ହୋଇଯିବ। କିନ୍ତୁ ପେଟ ଯେତେବେଳେ ଭୋକରେ ପୋଡ଼ିଯିବ, ସେତେବେଳେ କୌଣସି ମଠ ମନ୍ଦିରରେ ଖାଦ୍ୟ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri