ସୁସ୍ଥ ହାର୍ଟ ପାଇଁ..

ହୃତ୍‌ପିଣ୍ଡ(ହାର୍ଟ) ସୁସ୍ଥ ରହିଲେ ଆମେ ନୀରୋଗ ରହିବା। କିନ୍ତୁ କେତେକ କାରଣରୁ ହାର୍ଟ ପ୍ରଭାବିତ ହେବା ଦ୍ୱାରା ଆମେ ହୃଦ୍‌ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଉ। ତେଣୁ ହାର୍ଟକୁ କିପରି ସୁସ୍ଥ ରଖିବା ସେ ନେଇ ଆମେ ସଚେତନ ହେବା ନିହାତି ଦରକାର। ଏ ନେଇ ଏକ ସରଳ ତଥା ସହଜ ଉପାୟ ରହିଛି। ଯଦି ଜଣେ ବ୍ୟକ୍ତି ନିଜର ମାନସିକତାକୁ ଅଧିକାଂଶ ସମୟ ସକାରାତ୍ମକ ରଖନ୍ତି ତେବେ ତାଙ୍କର ହାର୍ଟ ଆହୁରି ସକ୍ରିୟ ଭାବରେ କାର୍ଯ୍ୟ କରିଥାଏ। ଏଭଳି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ଲଣ୍ଡନ ୟୁନିଭର୍ସିଟିର ହୃଦ୍‌ରୋଗ ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ଅନ୍ତର୍ଭୁକ୍ତ ବ୍ୟକ୍ତିମାନଙ୍କର ମାନସିକତାକୁ ତର୍ଜମା କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ଯେଉଁମାନଙ୍କର ମାନସିକତା ଅଧିକାଂଶ ସମୟ ସକାରାତ୍ମକ ରହୁଛି ସେମାନଙ୍କ ହାର୍ଟ ଆହୁରି ସକ୍ରିୟ ଭାବରେ କାର୍ଯ୍ୟ କରୁଛି। ତେଣୁ ଜଣେ ବ୍ୟକ୍ତି ଯେତେ ସମ୍ଭବ ନିଜକୁ ଚାପମୁକ୍ତ ରଖିବା ସହ ନିଜର ମାନସିକତାକୁ ସକାରାତ୍ମକ ରଖିବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି।