ସୁଶ୍‌, ତୁମ ସହ ମୋ ହୃଦୟର ଏକ ଅଂଶ ବି ଚାଲିଗଲା: କ୍ରିତି

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମସ୍ତଙ୍କ ପାଇଁ ଏକ ପ୍ରଶ୍ନ ହୋଇ ରହିଯାଇଛି। କେଉଁ କାରଣ ପାଇଁ ସେ ଏଭଳି ଚରମ ପଦକ୍ଷେପ ଗ୍ରହଣ କଲେ ସେ ନେଇ ତଦନ୍ତ କରୁଛି ପୋଲିସ। ହେଲେ ଅନ୍ୟ କଳାକାରମାନେ ତାଙ୍କ ସହ ବିତାଇଥିବା କିଛି ମୁହୁର୍ତ୍ତକୁ ମନେ ପକାଉଛନ୍ତି। ଦୁଇ ଦିନ ଧରି ନିରବ ରହିବା ପରେ ଏବେ ସୁଶାନ୍ତଙ୍କୁ ନେଇ ଏକ ପୋଷ୍ଟ କରିଛନ୍ତି ଅଭିନେତ୍ରୀ କ୍ରିତି ସନନ୍‌।

କ୍ରିତି ସୁଶାନ୍ତଙ୍କ ସହ ‘ରାବ୍‌ତା’ ଫିଲ୍ମରେ କାମ କରିଥିଲେ। ସେତେବେଳେ ଉଭୟ ଉଭୟଙ୍କୁ ପସନ୍ଦ କରୁଥିବା ନେଇ ହୋଇଥିଲା ଚର୍ଚ୍ଚା। ହେଲେ ସେମାନେ ଏଥିରେ ହଁ ଭରି ନ ଥିଲେ। ଏବେ କ୍ରିତି ସୁଶାନ୍ତଙ୍କୁ ମନେ ପକାଇ ଲେଖିଛନ୍ତି, ସୁଶ୍‌..। ମୁଁ ଜାଣିଥିଲି ତୁମର ମନ ତୁମର ଭଲ ସାଙ୍ଗ ଏବଂ ସବୁଠାରୁ ବଡ଼ ଶତ୍ରୁ ଥିଲା। ହେଲେ ତୁମ ଜୀବନରେ ଏଭଳି ଏକ ମୂହୁର୍ତ୍ତ ଆସିଲା ଯେଉଁଠି ତୁମେ ମରିବାକୁ ବଞ୍ଚିବାଠାରୁ ଅଧିକ ସହଜ ଲାଗିଲା ଜାଣିବା ପରେ ମୁଁ ଭାଙ୍ଗି ପଡ଼ିଛି। ତୁମ ଆଖପାଖରେ ଲୋକ ଥିଲେ, ଏଭଳି ସ୍ଥିତିରୁ ତୁମକୁ ମୁକୁଳାଇ ପାରିଥାନ୍ତେ। ଯେଉଁମାନେ ତୁମକୁ ଭଲ ପାଆନ୍ତି, ସେମାନଙ୍କୁ ତୁମେ ଅଲଗା କରି ନ ଥିଲେ ଏହା ସମ୍ଭବ ହୋଇଥାନ୍ତା। କାଳେ ମୁଁ ତୁମ ଭିତରେ ଭାଙ୍ଗି ଯାଇଥିବା ଅଂଶକୁ ଯୋଡ଼ି ପାରିଥାନ୍ତି। ହେଲେ ନା। ଏଭଳି ହେଲା ନାହିଁ। ମୋ ହୃଦୟର ଗୋଟିଏ ଅଂଶ ତୁମ ସହ ଚାଲିଗଲା। ବାକି ଅଧା ଅଂଶରେ ତୁମେ ସବୁବେଳେ ରହିବ। ମୁଁ ତୁମକୁ ସବୁ ଖୁସି ମିଳୁ ବୋଲି ପ୍ରାର୍ଥନା କରି ଆସୁଥିଲି, ଆଗକୁ ମଧ୍ୟ କରିବି ବୋଲି କ୍ରିତି ଲେଖିଛନ୍ତି।

Share