Categories: ଜାତୀୟ

ସୁଶାନ୍ତଙ୍କ ପରିବାରକୁ ଭେଟିଲେ ଭାଜପା ନେତା ମନୋଜ

ନୂଆଦିଲ୍ଲୀ,୨୨।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ତଥା ଭୋଜପୁରୀ ଅଭିନେତା ମନୋଜ ତିଓ୍ବାରୀ। ସୋମବାର ସେ ପାଟନା ଗସ୍ତ କରିବା ସହ ସୁଶାନ୍ତଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍‌କାରରେ ମନୋଜ ବଲିଉଡ୍‌ରେ ଚାଲିଥିବା ନେପୋଟିଜିମ ବା ପ୍ରିୟା ପ୍ରୀତି ପୋଷଣ କଥା ଉଠାଇଛନ୍ତି। ଯାହାର ଶିକାର ସୁଶାନ୍ତ ହୋଇଗଲେ ବୋଲି ସେ କହିଛନ୍ତି। ତେବେ ଏକ ଛୋଟ ସହରରୁ ବଲିଉଡ୍‌ ଯାଇଥିବା ଜଣେ ଯୁବକ ପାଇଁ ଏହା ସାଧାରଣ କଥା ହୋଇଗଲାଣି ବୋଲି ସେ କହିଛନ୍ତି। ହେଲେ ଏହାରି ଭିତରରେ ବି ସୁଶାନ୍ତ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବା ପରେ କାହିଁକି ଆତ୍ମହତ୍ୟା ଭଳି ପନ୍ଥା ବାଛିନେଲେ ତା’ର ସିବିଆଇ ତଦନ୍ତ କରାଯାଉ ବୋଲି ମନୋଜ ଦାବି କରିଛନ୍ତି। ସୂଚନାଯୋଗ, ଜୁନ୍‌ ୧୪, ୨୦୨୦ରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇର ବାନ୍ଦ୍ରାଠାରେ ଥିବା ତାଙ୍କ ନିଜ ଘରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

Share