ସୁରଟରେ ଓଡ଼ିଆ ଯୁବକ ମୃତ

ପରଜଙ୍ଗ, ୨୯ା୪(ଡି.ଏନ.ଏ.)- କାମ ପାଇଁ ଗୁଜରାଟ ଯାଇଥିବା ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କିଳି ଗ୍ରାମର ଜଣେ ଯୁବକଙ୍କ ମଙ୍ଗଳବାର ରାତିରେ ମୃତ୍ୟୁ ଘଟିଛି । ମୃତକ କୁମୁଦ ନାୟକ ଓ ଅନୁଡି ନାୟକଙ୍କ ସାନ ପୁଅ ଆଲୋକ ନାୟକ ବୋଲି ଜଣାପଡିଛି। କୌଣସି କାରଣରୁ ସେ ସୁରଟରେ ରହୁଥିବା ଏକ କଲୋନୀର ୪ ମହଲା ଛାତରୁ ଖସିପଡିବାରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ତେକେ ଲକଡାଉନ ଜାରିଥିବା ଯୋଗୁ ପୁଅର ମୃତଦେହ ଆଣିବାକୁ ପରିବାର ଲୋକେ ଅସମର୍ଥ ଥିବାରୁ ସରକାର ଏ ନେଇ ବ୍ୟବସ୍ଥା ନେବାକୁ ସେମାନେ ଆକୁଳ ନିବେଦନ କରିଛନ୍ତି।
ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉଚ୍ଚ ଶିକ୍ଷା ପରେ ଆଲୋକ ପରିବାର ପ୍ରତିପୋଷଣ ପାଇଁ କାମ କରିବାକୁ ସୁରଟ ପଳାଇଥିଲେ। ସେଠାରେ ଏକ ସୂତା କମ୍ପାନୀରେ ସେ ଶ୍ରମିକ ଭାବେ କାମ କରୁଥିଲେ। ସୁରଟର ପାଣ୍ଡେସର ସ୍ଥିତ ସୁଧା କଲୋନୀରେ ଏକ ୪ ମହଲା କୋଠାରେ ରୁମ ନେଇ ରହୁଥିଲେ। ଲକଡାଉନ ଯୋଗୁ ସେ ଘରକୁ ଆସି ପାରି ନ ଥିଲେ ହେଁ ପରିବାର ସହ ଯୋଗାଯୋଗ ରଖିଥିଲେ। ମଙ୍ଗଳବାର ରାତିରେ ମଧ୍ୟ ସେ ଫୋନରେ ଘର ଲୋକଙ୍କ ସହ କଥା ହୋଇଥିଲେ।ହେଲେ କଥା ହେବାର କିଛି ସମୟରେ ଆଲୋକ ଛାତରୁ ଖସି ପଡିଥିବା ପରିବାର ନିକଟରେ ଖବର ପହଞ୍ଚିଥିଲା। ତାଙ୍କ ସହଯୋଗୀ ଓ କେତେଜଣ କମ୍ପାନୀ କର୍ମଚାରୀ ଆଲୋକଙ୍କୁ ସୁରଟ ସ୍ମିମର ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ମଧ୍ୟରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପୁଅକୁ ଶେଷ ଥର ଦେଖିବାକୁ ମୃତଦେହକୁ ଘରକୁ ଆଣିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହାୟତା କରିବାକୁ ତାଙ୍କ ମା’ ଅନୁରୋଧ କରିଛନ୍ତି।