ସୁରକ୍ଷାକର୍ମୀଙ୍କୁ ଛୁରାମାଡ଼ କରି ଲୁଟ୍‌, ୨ ଗିରଫ

ଯୋଡ଼ା, ୧୯।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରସ୍ଥିତ ଏସାର ପେଟ୍ରୋଲ ପମ୍ପ ସମୁଖରେ ଥିବା ମହିନ୍ଦ୍ରା ଓାର୍କସପ୍‌ ଠାରେ ଶୁକ୍ରବାର ଅପରାହ୍ନ ୩ ଟା ସମୟରେ ଜଣେ ଘରୋଇ ସୁରକ୍ଷା କର୍ମୀଙ୍କୁ ଛୁରି ମାଡ କରି ଲୁଟ୍‌ କରିବା ଅଭିଯୋଗରେ ଯୋଡା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଯୋଡା ମୁଖାର୍ଜୀ ହଟିଂର ରାଜେଶ ପାତ୍ର ଓ ଆମ୍‌ ବାଗାନ୍‌ର ମୁକୁନ୍ଦା ସାଣ୍ଡିଲ୍‌। ପୋଲିସ ସୂଚନାନୁଯାୟୀ , ଶୁକ୍ରବାର ଅପରାହ୍ନ ୩ ଟା ସମୟରେ ମହିନ୍ଦ୍ରା ଓ୍ବାର୍କସପରେ ସୁରା ନାଏକ ଏକ ଘରୋଇ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ଥିଲେ। ଏହି ସମୟରେ ଉକ୍ତ ଦୁଇ ଅଭିଯୁକ୍ତ ସେଠାକୁ ଆସି ସୁରାଙ୍କୁ ଛୁରାମାଡ କରି ଓ୍ବାର୍କସପରେ ଥିବା ଏକ ଚାରିଚକିଆ ଗାଡିରୁ ଦୁଇଟି ଚକା ଲୁଟି ନେଇଥିଲେ। ଆହତ ବ୍ୟକ୍ତି ଜଣକ ପରେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଅଭିଯୁକ୍ତ ରାଜେଶ ପାତ୍ରକୁ କାବୁ କରିନେଇ ପୋଲିସରେ ଜିମା ଦେଇଥିଲେ । ସେହିପରି ପୋଲିସ ଶନିବାର ଅନ୍ୟଜଣେ ଅଭିଯୁକ୍ତ ମୁକୁନ୍ଦା ସାଣ୍ଡିଲକୁ ଗିରଫ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ପୋଲିସ ସେମାନଙ୍କଠାରୁ ଲୁଟ୍‌ କରିଥିବା ୨ଟି ଚକା ଉଦ୍ଧାର କରିବା ସହିତ ଗୋଟିଏ ଛୁରି ଜବତ କରିଛି ।