ସୁଯୋଗ ଅପେକ୍ଷାରେ ବିନି

ଜୟଶ୍ରୀ ମହାନ୍ତି ଓରଫ ବିନି। ୨୦୦୫ରୁ ୨୦୧୭ ଭିତରେ ସେ ଅନେକ ଥିଏଟର ନାଟକରେ ନିଜର ଆକ୍ଟିଂ ଦକ୍ଷତା ଦେଖାଇ ସାଉଁଟିଥିଲେ ଅନେକ ସଫଳତା। ବାଘାଯତୀନ ଲୋକାନାଟ୍ୟର ଜଣେ ଅଭିନେତ୍ରୀଙ୍କ ଅକାଳ ମୃତ୍ୟୁ ପରେ ତାଙ୍କୁ ଜଲିଉଡ୍‌ରୁ ଡାକରା ଆସିଥିଲା। ଏ ସମ୍ପର୍କରେ ଜୟଶ୍ରୀ କହନ୍ତି, ‘ ନିର୍ଦ୍ଦେଶକ ଗୁରୁ ମିଶ୍ର ହଠାତ୍‌ ମୋତେ ବାଘାଯତୀନ ଲୋକନାଟ୍ୟରେ ଅଭିନୟ କରିବାକୁ ଅଫର ଦେଇଥିଲେ। ତାହାକୁ ଏକ ସୁବର୍ଣ୍ଣ ସୁଯୋଗ ଭାବି ଗ୍ରହଣ କରିଥିଲି। ତାଙ୍କ ନିର୍ଦ୍ଦେଶିତ ତଥା ଗଣେଶ ରାଉତଙ୍କ ରଚିତ ନାଟକ ‘କାହାଣୀ କାନ୍ଦୁଛି ଆଖି ଲୁଚେଇ’ରେ ପାର୍ଶ୍ୱନାୟିକା ମୀନାକ୍ଷୀଙ୍କ ଭୂମିକା ସତେ ଯେମିତି ମୋ ପାଇଁ ଚ୍ୟାଲେଞ୍ଜ ଥିଲା। ଗୋଟିଏ ଦିନରେ ରିହର୍ସାଲ ଶେଷ କରିଥିଲି। ଅପେରା ଜଗତରେ ମୋର ଏଣ୍ଟ୍ରି ହୋଇଥିଲା ୨୦୧୭ରେ। ମାତ୍ର ଦୁଇବର୍ଷ ମଧ୍ୟରେ ମୁଁ ‘ପାକିସ୍ତାନୀ ଝିଅ ଭାରତକେ ଲିୟେ ଶହୀଦ (ଗୀତା), କଳା ଓଢ଼ଣି (ରୂପା), କି ରଙ୍ଗେ ନାଚୁଛି କନକ ଗୋରୀ (ଶୀଲା), ମୃତ୍ୟୁ ଦଣ୍ଡ (ରାଧିକା), ରାତି ସପନକୁ କରିଛି ସାଥୀ ଏବଂ ତୋ ନଁାରେ ମୋ ନଁାକୁ ଦେଇଛି ଯୋଡିରେ ମୋତେ ଯେଉଁ ଭୂମିକା ମିଳିଛି ତାହାକୁ ବେଶ୍‌ ସୂଚାରୁ ରୂପେ ତୁଲାଇଛି। ବାଘାଯତୀନ ପରେ ଏବର୍ଷ ମୁଁ ନୂଆ ଅପେରା ପାର୍ଟି ‘ସୂର୍ଯ୍ୟମନ୍ଦିର’ରେ ଯୋଗ ଦେଇଛି। ଏହାର ପ୍ରଥମ ନାଟକ ‘ପୁଅ ଯିବ ଶାଶୁଘର’ (ରଚନା -ଗଣେଶ ରାଉତ, ନିର୍ଦ୍ଦେଶନା-ଅଶ୍ରୁମୋଚନ ମହାନ୍ତି)ରେ ମୋତେ ମିଳିଛି ଏକ ଚ୍ୟାଲେଞ୍ଜିଂ ଭୂମିକା।’ ଆଗଧାଡିର ଥିଏଟର ଅନୁଷ୍ଠାନ ଉତ୍ତରପୁରୁଷରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ ଜୀବନ। ନିଜ ଅଭିନୟ ଜୀବନରେ ଦର୍ଶକଙ୍କୁ ସର୍ବାଗ୍ରେ ସ୍ମରଣ କରନ୍ତି ଏହି ଅଭିନେତ୍ରୀ।

Share