ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ: ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ଶୋଭାଯାତ୍ରା

ବାଲିଆପାଳ,୧୯।୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଚୌମୁଖଠାରେ ନିର୍ମାଣ ହେବାକୁ ଯାଉଥିବା ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ କରି ଶନିବାର ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା। ଏହାପରେ ତହସିଲ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଥିଲା। ବନ୍ଦର ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଯାଉଥିବା ଚୌମୁଖ ଏବଂ ଆଖପାଖ ଅଞ୍ଚଳର ଜନସାଧାରଣ ଖଗଡ଼େଶ୍ୱର ମହାଦେବ ମନ୍ଦିରଠାରୁ ଏକ ନୀରବ ଶୋଭାଯାତ୍ରାରେ ବାଲିଆପାଳ ତହସିଲ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ଭିଟାମାଟି ସୁରକ୍ଷା କମିଟିର ଆବାହକ ଅରୁଣ ଜେନା ଅଧ୍ୟକ୍ଷତା କରି ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ, ଜନତାଙ୍କ ନ୍ୟାର୍ଯ୍ୟ ଦାବି ଏବଂ ସ୍ବରକୁ ପ୍ରଶାସନ କମ୍ପାନୀର ଚପାଇ ଦେବା ପାଇଁ ହୀନ ଉଦ୍ୟମ କରୁଛି, ଏପରିକି ଆଜିର ସଭା ପାଇଁ ମାଇକ୍‌ ପାଇଁ ଅନୁମତି ନ ଦେବା ପରିତାପ ବିଷୟ ବୋଲି କହିଥିଲେ।
ବରିଷ୍ଠ ଖବରଦାତା ରବି ଦାସ ମୁଖ୍ୟଅତିଥି, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମୁଖ୍ୟବକ୍ତା, ବିଶିଷ୍ଟ ପରିବେଶବିତ୍‌ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା, ପୂର୍ବତନ ଛତ୍ରପୁର ବିଧାୟକ ରାଧାକୃଷ୍ଣ ସେଠୀ, ମହେନ୍ଦ୍ର ପରିଡ଼ା, ବିଧାନ ରାୟ, ଆକବର ସାହା, ଚୌମୁଖର ପୂର୍ବତନ ସରପଞ୍ଚ ନାରାୟଣ ଖଟୁଆ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ସମୁଦ୍ର ଉପକୂଳର ଉର୍ବର ଜମିକୁ କମ୍ପାନୀ ହାତରେ ଟେକିଦେବା ସହିତ ଲୋକଙ୍କର ଜୀବନଜୀବିକାକୁ ଛଡ଼ାଇ ନେବାକୁ ଚକ୍ରାନ୍ତ କରୁଛି। ବହୁବର୍ଷ ପୂର୍ବରୁ ମଧ୍ୟ ସରକାର ଏହି ଅଞ୍ଚଳରେ ଘାଟି ସ୍ଥାପନକୁ ସ୍ବର୍ଗତ ଗଦାଧର ଗିରି, ବିଜୁ ପଟ୍ଟନାୟକ ସଂଗ୍ରାମ କରି ମାଟିକୁ ରକ୍ଷା କରିଥିଲା ବେଳେ ଏବର ସରକାର ପୂର୍ବ ଇତିହାସକୁ ନ ଜାଣି ଭୁଲ୍‌ ରାସ୍ତାରେ ଯାଉଥିବାରୁ ଏହା ବିରୋଧରେ ଜନଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭିଟାମାଟି ସୁରକ୍ଷା କମିଟି ସଭାପତି ଲକ୍ଷ୍ମୀକାନ୍ତ ଖଟୁଆ, ଉପସଭାପତି ରମଣିକାନ୍ତ ମଣ୍ଡଳ, ସାଧାରଣ ସମ୍ପାଦକ ସୁବସ ଚୌଧୁରୀ, ବାଲିଆପାଳ ସୂଚନା ଅଧିକାର ସଂଘର ସଭାପତି ଅନୁଜ ମହାପାତ୍ର, ଗଣଚେତନା ମଞ୍ଚର କୁଶଧ୍ୱଜ ଜେନା ପ୍ରମୁଖ ବକ୍ତବ୍ୟରେ ବନ୍ଦର ନିର୍ମାଣକୁ ବିରୋଧ କରିବା ପାଇଁ ଆହ୍ବାନ ଦେଇଥିଲେ। ପରେ ଏକ ପ୍ରତିନିଧିମଣ୍ଡଳ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ବାଲିଆପାଳର ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରିଥିଲେ।