ସୁପ୍ରିମକୋର୍ଟ ଗଲା ମୁସ୍‌ଲିମ ସଂଗଠନ

ନୂଆଦିଲ୍ଲୀ,୪ା୫(ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ ମହାମାରୀରେ ପ୍ରାଣ ହରାଉଥିବା ଲୋକଙ୍କୁ ସେମାନଙ୍କ ଘରପାଖ ଶ୍ମଶାନରେ କବର ଦିଆଯିବା ଘଟଣାକୁ ମୁମ୍ବାଇର ଜଣେ ବ୍ୟକ୍ତି ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ପିଟିଶନକୁ ବିରୋଧ କରି ଜାମିଆତ୍‌ ଉଲମା-ଇ-ହିନ୍ଦ୍‌ ନାମକ ମୁସ୍‌ଲିମ ସଂଗଠନ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛି। ମୁମ୍ବାଇ ବାସିନ୍ଦା ପ୍ରଦୀପ ଘାନ୍ଦିଙ୍କ ଆବେଦନ ବମ୍ବେ ହାଇକୋର୍ଟରେ ଖାରଜ ହେବା ପରେ ସେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବାନ୍ଦ୍ରା ଓ୍ବେଷ୍ଟ ଶ୍ମଶାନରେ କୋଭିଡ୍‌-୧୯ ରୋଗୀଙ୍କୁ କବର ଦେଲେ ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି। ସୋମବାର ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନ ଏବଂ ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠ ଏହି ପିଟିଶନର ଶୁଣାଣି କରିବେ। ମୁସ୍‌ଲିମ ସଂଗଠନ ମଧ୍ୟ ଏହି ମାମଲାରେ ଅଦାଲତଙ୍କ ହସ୍ତକ୍ଷେପ ଦାବି କରିଛି। କବର ଦେବା ଦ୍ୱାରା ଭୂତାଣୁ ସଂକ୍ରମଣର କୌଣସି ପ୍ରମାଣ ନାହିଁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଇସ୍‌ଲାମ ଧର୍ମରେ ମୃତଦେହକୁ କବର ଦିଆଯିବା ଜରୁରୀ। ଅନ୍ୟ ଧର୍ମରେ ମଧ୍ୟ ଏହି ବ୍ୟବସ୍ଥା ରହିଛି। ଏହା ବିରୋଧରେ କୋର୍ଟରେ ଆବେଦନ ସମ୍ବିଧାନର ଅନୁଚ୍ଛେଦ ୨୫ରେ ଥିବା ଧର୍ମୀୟ ଅଧିକାରର ବିରୋଧ ବୋଲି ମୁସ୍‌ଲିମ ସଂଗଠନ ପକ୍ଷରୁ କୁହାଯାଇଛି।

Share