ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ବିକ୍ଷୋଭ

କେନ୍ଦ୍ରାପଡା ଅଫିସ, ୨୪।୨: ସରକାରୀ ଚାକିରି ଓ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ। ଏହା ରାଜ୍ୟ ସରକାରଙ୍କ ଇଚ୍ଛାଧୀନ ବିଷୟ। ତେଣୁ ତଫସିଲଭୁକ୍ତ ଜାତି (ଏସ୍‌ସି) ଓ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ବର୍ଗର ଲୋକଙ୍କୁ ଚାକିରି ଦେବାପାଇଁ ରାଜ୍ୟ ସରକାରଙ୍କୁ କୌଣସି ଅଦାଲତ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଗତ ୯ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି। ଏହାକୁ ଅନୁସୂଚିତ ଜାତି ଓ ଜନଜାତି ସଂଗଠନ ପକ୍ଷରୁ ବିରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସଂଗଠନ ପକ୍ଷରୁ ରବିବାର ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ କେନ୍ଦ୍ରାପଡା ସହର ତିନିମୁହାଣି ଛକରେ ଏହି ବନ୍ଦ ଡାକରାକୁ ସମର୍ଥନ କରାଯାଇ ବିରୋଧ ପ୍ରଦର୍ଶନ ହୋଇଥିଲା। ଛକରେ କେନ୍ଦ୍ରାପଡ଼ା ଜିଲାର ଅନୁସୂଚିତ ଜାତି ଓ ଜନଜାତି ସେଲ୍‌ର କର୍ମୀମାନେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ବିକ୍ଷୋଭ ଅପରାହ୍ନ ୧ଟାରେ ଶେଷ ହୋଇଥିଲା। ଏ ସମ୍ପର୍କରେ ଜିଲା ସଭାପତି ନଗେନ୍ଦ୍ର ଜେନା କହିଛନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟ ହେଉଛନ୍ତି ସମ୍ବିଧାନର ରକ୍ଷକ। ସମ୍ବିଧାନର ଉପଯୁକ୍ତ ବ୍ୟାଖ୍ୟା ଓ ପ୍ରୟୋଗ କରିବା ନ୍ୟାୟପାଳିକାଙ୍କ ଦାୟିତ୍ୱ। ସମ୍ବିଧାନର ଧାରା ୧୨ରୁ ଧାରା ୩୫ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ମୌଳିକ ଅଧିକାରକୁ ଦର୍ଶାଇଥାଏ। ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ସର୍ବସାଧାରଣଙ୍କ ନ୍ୟାୟ ଓ ସମତା କ୍ଷେତ୍ରରେ ବିଚ୍ୟୁତି ଆଣିବ। ଏହାଦ୍ୱାରା ଓଡ଼ିଶାର ପ୍ରାୟ ୨ କୋଟି ଓ ଦେଶର ୩୫ କୋଟି ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିଙ୍କର ଅଧିକାର କ୍ଷୁଣ୍ଣ ହେବ। ଏହାକୁ କେନ୍ଦ୍ର ସରକାର ପୁନର୍ବିଚାର ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଯାଚିକା ଦାଖଲ କରିବା ଆବଶ୍ୟକତା ଅଛି। ସେହିପରି ସଂରକ୍ଷଣ ଆଇନକୁ ସମ୍ବିଧାନର ନବମ ଅନୁଚ୍ଛେଦରେ ସ୍ଥାନିତ କରିବାକୁ ସଂଗଠନ ପକ୍ଷରୁ ଦାବି ହୋଇଥିବା ସେ ପ୍ରକାଶ କରିଛନ୍ତି। ବିକ୍ଷୋଭରେ ଦଳିତ ନେତ୍ରୀ ପ୍ରମିଳା ସେଠୀ, ଦିଲୀପ ନାୟକ, କିଶୋର ମଲ୍ଲିକ, ପପୁ ନାୟକ, ସହଦେବ ସେଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ।