ସୁପ୍ରିମକୋର୍ଟଙ୍କ ରାୟ ନେଇ ଶଙ୍କରାଚାର୍ଯ୍ୟଙ୍କ ଉଦ୍‌ବେଗ: ‘ରଥଯାତ୍ରା ବନ୍ଦ ପାଇଁ ଏହା ସୁଚିନ୍ତିତ ଯୋଜନା’

ପୁରୀ ଅଫିସ, ୨୧।୬: ଚଳିତ ବର୍ଷ ବଡ଼ଦାଣ୍ଡରେ ଗଡ଼ି ପାରିବନି ମହାପ୍ରଭୁଙ୍କ ରଥ। ମହାମାରୀ କରୋନା ସଂକ୍ରମଣକୁ ନେଇ ରଥଯାତ୍ରା ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନ୍ୟାୟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ରବିବାର ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ଜୁନ୍‌ ୨୦ରେ ରାୟର ପୁର୍ନବିଚାର ପାଇଁ ଏକାଧିକ ପିଟିସନ ଦାଖଲ କରାଯାଇଥିଲା। ସୁପ୍ରିମକୋର୍ଟ ଚାହିଁଥିଲେ ସ୍ବେଚ୍ଛାକୃତ ଭାବେ ଏହି ଆବେଦନ ଗ୍ରହଣ କରିପାରିଥାନ୍ତେ। ବିଶେଷ ପରିସ୍ଥିତିରେ ନ୍ୟାୟାଳୟ ଅବକାଶ ସମୟରେ ଚାଲିଥାଏ। କିନ୍ତୁ ରଥଯାତ୍ରା ବନ୍ଦ ପାଇଁ ଏହା ସୁଚିନ୍ତିତ ଯୋଜନା। ଗ୍ରୀଷ୍ମ ଅବକାଶ ପୂର୍ବରୁ ଏଭଳି ରାୟ ଆସିବା ଯୋଜନାକୁ ଏକପ୍ରକାର ସ୍ପଷ୍ଟ କରିଛି ବୋଲି ସେ କହିଛନ୍ତି।