ସୁପାରିକିଲର ମାମୁଦ ଏନଏସ୍‌ଏରେ ଭର୍ତ୍ତି: ୧୪ଟି ଅପରାଧ ସହ ସମ୍ପୃକ୍ତ

ବାଲେଶ୍ୱର ଅଫିସ,୧୩।୨-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଗଳାପୋଲ ଅଞ୍ଚଳର ସୁପାରିକିଲର ସେକ ମାମୁଦ (୨୪)ଙ୍କୁ ଜିଲା ମାଜିଷ୍ଟ୍ରେଟ୍‌ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅନୁମୋଦନକ୍ରମେ ଗୁରୁବାର ଏନଏସଏ(ଜାତୀୟ ନିରାପତ୍ତା ଆଇନ)ରେ ଭର୍ତ୍ତି କରାଯାଇଛି। ଏନେଇ ଡିଏସ୍‌ପି ମନୋଜ ମନୋଜ ରାଉତ ସୂଚନା ଦେଇଛନ୍ତି।
ସେକ ମାମୁଦ ଗତ ୨୦୧୩ରୁ ଦୀଘାଠାରେ ଗୋପାଳଗାଁର ହେମନ୍ତ ମହାପାତ୍ରଙ୍କ ହତ୍ୟା ଘଟଣାରୁ ଆରମ୍ଭ କରି ୨୦୧୯ ଅକ୍ଟୋବର ୧୯ତାରିଖରେ ଫୁଲାଡ଼ି ନିକଟରେ ବନ୍ଧୁକ ଦେଖାଇ ଡକାୟତି କରିବା ଘଟଣା ପର୍ଯ୍ୟନ୍ତ ମୋଟ୍‌ ୧୪ଟି ମାମଲା ରୁଜୁ ହୋଇଛି। ସେହିଭଳି ୨୦୧୮ରେ ଅରଡ଼ବଜାର ଅଞ୍ଚଳର ଆଇମାନ୍‌ ନିଶା ନାମକ ଜଣେ ନାବାଳିକାଙ୍କୁ ଅପହରଣ କରି ଗୁଳି କରି ହତ୍ୟା କରିଥିବା ବେଳେ ଥାନାରେ ମାମଲା (ନଂ. ୩୫୬/୨୦୧୮) ରୁଜୁ ହୋଇଥିଲା। ଅପରପକ୍ଷରେ ବ୍ରାଉନ୍‌ସୁଗାର ମାଫିଆ ରାଜାଙ୍କଠାରୁ ସୁପାରି ନେଇ ଆଇଟିଆଇସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ପାଖରେ ଗଦା ହେମ୍ବ୍ରମ ନାମକ ଜଣେ ଡ୍ରଗ୍ସ ବେପାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେଥିମଧ୍ୟରୁ ୩ଟି ହତ୍ୟା ମାମଲା ହୋଇଥିବା ବେଳେ ଅନ୍ୟଗୁଡ଼ିକ ଡକାୟତି, ଛିନ୍‌ତାଇ, ନାବାଳିକା ଅପହରଣ କରି ହତ୍ୟା ଭଳି ଘଟଣା ଅଟେ। ଅନ୍ୟପକ୍ଷରେ ସୁପାରି ନେଇ ହତ୍ୟା କରିଥିବା ଘଟଣା ପୋଲିସ ଜାଣିପାରିଛି। ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜାଙ୍କ ସହ ହାତ ମିଳାଇ ଜିଲାର ବିଭିନ୍ନ ଅଞ୍ଚଳରେ ଅପରାଧ ଘଟାଇବା ସହ ଅପରାଧ ଦୁନିଆରେ ସୁପାରି କିଲର ଭାବେ ପରିଚୟ ସୃଷ୍ଟି କରିଥିଲେ। ଗତ ଅକ୍ଟୋବର ୧୯ତାରିଖରେ ଫୁଲାଡ଼ିଠାରେ ଏକ ଟ୍ରକ୍‌ର ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌ କରି ପୋଲିସ ହାତରେ ଧରାପଡ଼ିଥିଲେ। ତାଙ୍କ ନିକଟରୁ ୨ଟି ବନ୍ଧୁକ ଓ ଗୁଳି ଜବତ କରାଯାଇ ଗିରଫ କରାଯାଇଛି। ଏନେଇ ସହଦେବଖୁଣ୍ଟା ଥାନାରେ ମାମଲା (ନଂ. ୩୧୯/୧୯) ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ବାଲେଶ୍ୱର ଜେଲରେ ସଜା କାଟୁଥିବା ବେଳେ ଉପରୋକ୍ତ ଅପରାଧକୁ ଦୃଷ୍ଟିରେ ରଖି ସେକ ମାମୁଦଙ୍କୁ ଏନଏସଏରେ ଭର୍ତ୍ତି କରିବା ପାଇଁ ଏସ୍‌ପି ବି. ଯୁଗଳ କିଶୋରକୁମାର ଜିଲା ମାଜିଷ୍ଟ୍ରେଟ୍‌ ତଥା ଜିଲାପାଳଙ୍କୁ ସୁପାରିଶ କରିଥିଲେ। ଜିଲାପାଳ ସମସ୍ତ ମାମଲାକୁ ତଦନ୍ତ କରି ଏହି ନିର୍ଦ୍ଦେଶ ଦେଇଛନ୍ତି।