ସୁପର ୩୦ ପ୍ରତିଷ୍ଠାତା ଆମେରିକାରେ ପୁରସ୍କୃତ

ଓ୍ବାଶିଂଟନ,୨୦-୯(ପି.ଟି.):ସୁପର ୩୦ର ପ୍ରତିଷ୍ଠାତା ଆନନ୍ଦ କୁମାରଙ୍କୁ ଆମେରିକାରେ ପୁରସ୍କୃତ କରାଯାଇଛି। ପ୍ରତିବର୍ଷ ୩୦ ଜଣ ଗରିବ ଛାତ୍ରୀଛାତ୍ରଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଏହି ଖ୍ୟାତନାମା ଗଣିତଜ୍ଞଙ୍କୁ ଆମେରିକାର ଫାଉଣ୍ଡେଶନ୍‌ ଫର୍‌ ଏକ୍ସେଲେନ୍ସ ପକ୍ଷରୁ ‘ଏଜୁକେଶନ ଏକ୍ସେଲେନ୍ସ ଆଓ୍ବାର୍ଡ’ରେ ସମ୍ମାନିତ କରାଯାଇଛି। କାଲିଫର୍ନିଆର ସାନ୍‌ ଜୋସ୍‌ଠାରେ ସଂଗଠନର ୨୫ତମ ବାର୍ଷିକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଦେଶର ସବୁ ସମସ୍ୟା ବିରୋଧରେ ଲଢ଼େଇ ପାଇଁ ଶିକ୍ଷାକୁ ସବୁଠୁ ଶକ୍ତିଶାଳୀ ଅସ୍ତ୍ର ଭାବେ ବ୍ୟବହାର କରିବା ନିମନ୍ତେ ସହାୟତା କରିବାକୁ ଏହି ଅବସରରେ ଆନନ୍ଦ କୁମାର ଆମେରିକା ଓ ସାରା ବିଶ୍ୱରେ ବସବାସ କରୁଥିବା ଭାରତୀୟମାନଙ୍କୁ ଅନୁରୋଧ କରିଥିଲେ। ସମସ୍ତଙ୍କୁ ଉନ୍ନତମାନର ଶିକ୍ଷା ଉପଲବ୍ଧ ହୋଇପାରିଲେ ଦାରିଦ୍ର୍ୟ, ବେରୋଜଗାରୀ, ଜନସଂଖ୍ୟା ବିସ୍ଫୋରଣ, ପରିବେଶ ଆଦି ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଥିଲେ।

Share