Categories: ଖେଳ

ସୁପର କପ୍‌ ଜିତିଲା ରିୟଲ ମାଡ୍ରିଡ୍‌

ଜେଦ୍ଦା,୧୩ା୧ (ଏଏଫ୍‌ପି)- ଏଠାରେ ଅନୁଷ୍ଠିତ ସୁପର କପ୍‌ ଫାଇନାଲରେ ରିୟଲ ମାଡ୍ରିଡ୍‌ ପେନାଲ୍ଟି ଶୁଟ୍‌ଆଉଟ ଜରିଆରେ ଆଟଲେଟିକୋ ମାଡ୍ରିଡ୍‌କୁ ହରାଇ ଦେଇଛି। ସୌଦି ଆରବୀୟ ପ୍ରଶଂସକଙ୍କ ସାମ୍ନାରେ ରିୟଲ ମାଡ୍ରିଡ୍‌ ତା’ର ୧୧ତମ ସ୍ପାନିଶ ସୁପର କପ୍‌ ଟାଇଟଲ ହାତେଇଛି। ମ୍ୟାଚ ଧାର୍ଯ୍ୟ ୯୦ ମିନିଟ୍‌ ପର୍ଯ୍ୟନ୍ତ ଗୋଲ ଶୂନ୍ୟ ହୋଇ ରହିବାରୁ ଏକ୍ସଟ୍ରା ୩୦ ମିନିଟ୍‌ ଖେଳାଯାଇଥିଲା। ଏଥିରେ ଆଟଲେଟିକୋ ଦଳ ମ୍ୟାଚ୍‌ ଜିତିବାକୁ ସୁଯୋଗ ପାଇଥିଲା। ଦଳର ଷ୍ଟ୍ରାଇକର ଆଲଭାରୋ ମୋରାଟୋ ରିୟଲର ଫେଡ୍ରିକୋ ଭାଲଭେର୍ଡେଙ୍କ ସହ ଓ୍ବାନ-ଅନ-ଓ୍ବାନ ଖେଳ ଦେଖାଇ ଗୋଲପୋଷ୍ଟ ଆଡ଼େ ବଢ଼ିଥିଲେ। ମାତ୍ର ଆଭାରୋଙ୍କୁ ପଛପଟୁ ଟ୍ୟାକେଲ ମାରି ରୋକିଦେଇଥିଲେ ଫେଡ୍ରିକ। ଏଥିଯୋଗୁ ଫେଡ୍ରିକଙ୍କୁ ମିଳିଥିଲା ରେର୍ଡ କାର୍ଡ। ଫଳରେ ମ୍ୟାଚ୍‌ ଗୋଲଶୂନ୍ୟ ରହିଥିଲା। ଉଭୟ ଦଳର ଗୋଲକିପର ଚମତ୍କାର ପ୍ରଦର୍ଶନ କରିଥିଲେ। କିନ୍ତୁ ରିୟଲ ମାଡ୍ରିଡ୍‌ କିପର ଥିବାଉଟ କୋର୍ଟଇସ ଆଟଲେଟିକୋ ଦଳର ଥୋମାସ ପାର୍ଟିଙ୍କ ଶଟ୍‌କୁ ପ୍ରତିହିତ କରିଥିଲେ। ତାଙ୍କ ପୂର୍ବରୁ ଆଟଲେଟିକୋ ଦଳର ସଲ ନିଗୁଏଜଙ୍କ ଶଟ ଗୋଲପୋଷ୍ଟ ବାର ବାଜିଥିଲା। ଏହାପରେ ସେର୍ଗିଓ ରାମୋସଙ୍କ ସ୍ପଟ କିକ୍‌ ରିୟଲ ମାଡ୍ରିଡ୍‌କୁ ଆଣିଦେଇଥିଲା ଚଳିତ ସିଜନର ପ୍ରଥମ ଟ୍ରଫି। ଏହି ବିଜୟ ଯୋଗୁ କୋଚ୍‌ ଜିନେଡିନେ ଜିଡାନେଙ୍କ ଫାଇନାଲ ରେକର୍ଡ ବଳବତ୍ତର ରହିଛି। ତାଙ୍କ ନେତୃତ୍ୱାଧୀନ ଦଳ କୌଣସି ଫାଇନାଲରେ ଏପର୍ଯ୍ୟନ୍ତ ହାରି ନାହିଁ।

Share