Categories: ଖେଳ

ସୁପର ଓଭର ଶେଷ ବଲରେ ଛକା ମାରି ଆୟର୍ଲାଣ୍ଡକୁ ଜିତାଇଲେ ଓବ୍ରେନ

ଗ୍ରେଟର ନୋଏଡା,୧୧।୩- ସୁପର ଓଭରର ଅନ୍ତିମ ବଲରେ କେଭିନ ଓବ୍ରେନଙ୍କ ଛକା ଯୋଗୁ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଆୟର୍ଲାଣ୍ଡ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ଘରୋଇ ଆଫଗାନିସ୍ତାନ ୩ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌କୁ ୨-୧ ବ୍ୟବଧାନରେ ଜିତି ନେଇଛି। ଆଫଗାନିସ୍ତାନ ବିପକ୍ଷରେ କ୍ରମାଗତ ୧୨ ପରାଜୟ ପରେ ଦଳ ପ୍ରଥମ ବିଜୟ ସ୍ବାଦ ଚାଖିଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୪୨ ରନ୍‌ କରିଥିଲା। ଦଳ ପାଇଁ ଗାରେଥ ଡେଲନି ୩୭, ହ୍ୟାରି ଟେକ୍ଟର ୩୧ ଓ କେଭିନ ଓବ୍ରେନ ୨୬ ରନ୍‌ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ନବୀନ ଉଲ ହକ ଓ କ୍ୱାଇସ ଅହମ୍ମଦ ୩ ଲେଖାଏ ଉଇକେଟ ହାତେଇଥିଲେ। ଜବାବରେ ଆଫଗାନିସ୍ତାନ ଶେଷ ପର୍ଯ୍ୟନ୍ତ ଖେଳି ୭ ଉଇକେଟ କ୍ଷତିରେ ୧୪୨ ରନ୍‌ ହିଁ କରିପାରି ଥିଲା। ଓପନର ରେହମନୁଲା ଗୁର୍ବାଜ ୪୨ ଓ ଆସଗର ଆଫଗାନ ୩୨ ରନ୍‌ କରିଥିଲେ। ବୋଲିଂରେ ଗାରେଥ ଡେଲନି ଓ ସିମି ସିଂ ୨ ଲେଖାଏ ଉଇକେଟ ନେଇଥିଲେ। ଏହାପରେ ସୁପର ଓଭରରେ ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନବି ଓ ଗୁର୍ବାଜଙ୍କ ଓପନିଂ ଯୋଡ଼ି ମାତ୍ର ୮ ରନ୍‌ କରିପାରିଥିଲେ। ଜବାବରେ ରଶିଦ ଖାଁ ପ୍ରଥମ ଦୁଇ ବଲରେ ୫ ରନ୍‌ ବ୍ୟୟ କରିବା ପରେ ଷ୍ଟ୍ରିଲିଂ ଏଲବିଡବ୍ଲ୍ୟୁ ଆଉଟ୍‌ କରିଥିଲେ। ୪ର୍ଥ ବଲକୁ ମିସ କରିଥିଲେ ଟେକ୍ଟର। ପଞ୍ଚମ ବଲରେ ଟେକ୍ଟର ଏକ ରନ୍‌ ନେଇ ଓବ୍ରେନଙ୍କୁ ଷ୍ଟ୍ରାଇକ୍‌ ଦେଇଥିଲେ। ଅନ୍ତିମ ବଲରେ ଦଳକୁ ୩ ରନ୍‌ ଦରକାର ଥିଲା। ଓବ୍ରେନ ଛକା ମାରି ଦଳକୁ ଜିତାଇଥିଲେ।

Share