Categories: ଖେଳ

ସୁପର ଓଭରରେ ସିରିଜ୍‌ ଜିତିଲା ଇଂଲଣ୍ଡ

ଅକ୍‌ଲାଣ୍ଡ, ୧୦।୧୧- ଗତ ବିଶ୍ୱକପ୍‌ ଫାଇନାଲ ଭଳି ଚଳିତ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇଛି। ବର୍ଷା ବାଧା ସାଜିବାରୁ ଏଠାରେ ଖେଳାଯାଇଥିବା ୧୧ ଓଭରିଆ ମ୍ୟାଚ୍‌ରେ ଉଭୟ ଦଳ ୧୪୬ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ସୁପର ଓଭରରେ ୧୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଘରୋଇ ନ୍ୟୁଜିଲାଣ୍ଡ ମାତ୍ର ୮ ରନ୍‌ କରିପାରିଥିଲା। ଏଥିସହିତ ଭ୍ରମଣକାରୀ ଇଂଲଣ୍ଡ ସିରିଜ୍‌କୁ ୩-୨ ବ୍ୟବଧାନରେ ଜିତି ନେଇଛି। ବିସ୍ଫୋରକ ବ୍ୟାଟିଂ କରିଥିବା ଜନ୍ନି ବେଆରଷ୍ଟୋଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଓ ନ୍ୟୁଜିଲାଣ୍ଡ ସ୍ପିନର ମିଚେଲ ସାଣ୍ଟନରଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ବିବେଚିତ କରାଯାଇଛି।
୧୪୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଇଂଲଣ୍ଡ ପ୍ରଥମ ଓଭରରେ ଟମ ବାଣ୍ଟନ(୮)ଙ୍କ ଉଇକେଟ ହରାଇଥିଲା। ଏହାପରେ ଗୋଟିଏ ପକ୍ଷରେ ଜନ୍ନି ବେଆରଷ୍ଟୋ ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ ଅନ୍ୟ ପଟେ ଗୋଟିଏ ପରେ ଗୋଟିଏ ଉଇକେଟ ପଡ଼ିବା ଜାରି ରହିଥିଲା। ଫଳରେ ଦଳ ମାତ୍ର ୩୯ ରନ୍‌ରେ ୩ ଉଇକେଟ ହରାଇ ସାରିଥିଲା। ଜେମ୍ସ ଭିନ୍ସ (୧୦) ଓ ଅଧିନାୟକ ଇଆନ ମୋର୍ଗାନ (୧୭) ରନ୍‌ କରି ଆଉଟ୍‌ ହୋଇଥିଲେ। ବେଆରଷ୍ଟୋ ୧୮ ବଲରେ ୫ ଛକା ଓ ୨ ଚୌକା ସହାୟତାରେ ୪୭ ରନ୍‌ କରି ଜିମ୍ସ ନିଶାମଙ୍କ ବଲରେ ଆଉଟ୍‌ ହୋଇ ପ୍ୟାଭିଲିଅନ ଫେରିଥିଲେ। ତାଙ୍କ ପରେ ସାମ କୁରାନ (୨୪), ଲୁଇସ ଗ୍ରେଗୋରି (୬) ଓ ଟମ କୁରାନ (୧୨) ଆଉଟ୍‌ ହେବାରୁ ଦଳ ୧୦.୩ ଓଭରରେ ୧୩୪ ରନ୍‌ କରିଥିଲା। ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ବଳକା ୩ ବଲରେ ୧୩ ରନ୍‌ ରୋକିବାର ଥିଲା। କିନ୍ତୁ କ୍ରିସ ଜର୍ଡାନ ଅନ୍ତିମ ୩ ବଲରେ ୧୨ ରନ୍‌ କରି ମ୍ୟାଚ୍‌ ଡ୍ର’ କରି ଦେଇଥିଲେ। ବୋଲିଂରେ ଟ୍ରେଣ୍ଟ ବୋଲ୍ଟ ଓ ମିଚେଲ ସାଣ୍ଟନର ୨ ଲେଖାଏ ଉଇକେଟ ନେଇଥିଲେ। ପୂର୍ବରୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗୁପଟିଲ ଓ କଲିନ ମୁନ୍‌ରୋ ୫.୧ ଓଭରରେ ୮୩ ରନ୍‌ କରିଥିଲେ। ଗୁପଟିଲ ୨୦ ବଲରେ ୫୦ ରନ୍‌ କରି ଆଉଟ ହୋଇଥିଲେ। ତାଙ୍କ ଭଳି ମୁନ୍‌ରୋ ୪୬ ଓ ଟିମ ସେଇଫର୍ଟଙ୍କ ୩୯ ରନ୍‌ର ଇନିଂସ ଯୋଗୁ ଘରୋଇ ଦଳ ୧୧ ଓଭରରେ ୫ ଉଇକେଟ ହରାଇ ୧୪୬ ରନ୍‌ କରିଥିଲା। ଇଂଲଣ୍ଡ ପକ୍ଷରୁ ବୋଲିଂରେ ସାମ କୁରାନ, ଟମ୍‌ କୁରାନ, ଆଦିଲ ରସିଦ ଓ ସାକିବ ମେହମ୍ମୁଦ ପ୍ରତ୍ୟେକ ଗୋଟିଏ କରି ଉଇକେଟ ହାତେଇଥିଲେ।

Share