ସୁନ୍ଦରପଦା, ଯଦୁପୁରରୁ ହଟିଲା ଆବଦ୍ଧାଞ୍ଚଳ କଟକଣା

ଭୁବନେଶ୍ୱର, ୧୩ା୪(ବ୍ୟୁରୋ):
ଭୁବନେଶ୍ୱରର ଦୁଇଟି ଅଞ୍ଚଳ ସୁନ୍ଦପରଦା ଓ ଯଦୁପୁର-ବେଗୁନିଆରୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ବା ଆବଦ୍ଧାଞ୍ଚଳ କଟକଣା ହଟଛି। ସମ୍ପୃକ୍ତ ଅଞ୍ଚଳରେ ନିୟୋଜିତ ଡାକ୍ତରୀ ଟିମ୍‌ଙ୍କ ସର୍ଭେ ଏବଂ ପରୀକ୍ଷା ରିପୋର୍ଟ ଆସିବା ପରେ ଆବଦ୍ଧାଞ୍ଚଳ ନିୟମ ହଟାଯାଇଥିବା ଭୁବନେଶ୍ବର ମହାନଗର ନିଗମ (ବିଏମସି) କମିଶନର ପ୍ରେମଚନ୍ଦ୍ର ଚୌଧାରୀ ସୂଚନା ଦେଇଛନ୍ତି। ଘର ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କୌଣସି ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା ଜାଣିବାକୁ ମିଳିଥିଲା। ଏନେଇ ନିୟୋଜିତ ଡାକ୍ତରୀ ଦଳ ସ୍ପଷ୍ଟୀକରଣ ଦେବା ପରେ ଉଭୟ ଅଞ୍ଚଳରେ ଏବେ ଆବଦ୍ଧାଞ୍ଚଳ ନିୟମକୁ ଉଠାଇ ଦିଆଯାଇଛି। ହେଲେ ଏହା ପରେ ବି ୭ ଦିନ ଯାଏଁ ଉକ୍ତ ଅଞ୍ଚଳକୁ ସେବା ଯୋଗାଇ ଦିଆଯିବ। ଉଭୟ ଅଞ୍ଚଳର ଜନସାଧାରଣ ବାହାରକୁ ନ ବାହାରି ଘରେ ରହିବାକୁ କୁହାଯାଇଛି। ଏପ୍ରିଲ୍‌ ୩୦ ଯାଏ ରାଜ୍ୟ ସରକାର ଲକ୍‌ଡାଉନ୍‌ ଜାରି ରଖିଥିବାରୁ ଅତ୍ୟାବଶ୍ୟକ ନ ଥିଲେ ବାହାରକୁ ନ ବାହାରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ଉଭୟ ଅଞ୍ଚଳର ଲୋକେ ଆବଦ୍ଧାଞ୍ଚଳ ନିୟମ ଜାରି ରହିଥିବା ସମୟରେ ସମସ୍ତ ପ୍ରକ୍ରିୟାରେ ସହଯୋଗ କରିଥିବାରୁ କମିଶନର ଚୌଧାରୀ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି।
ସୂଚନାଯୋଗ୍ୟ, ଓ୍ବାର୍ଡ ନଂ ୬୭ ଅଧିନ ସୁନ୍ଦରପଦା ସ୍ଥିତ କପିଳ ପ୍ରସାଦରୁ ୨୨ ତମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସୁନ୍ଦରପଦା ଅଞ୍ଚଳ ସହ ଓ୍ବାର୍ଡ ନଂ ୬୪ ସ୍ଥିତ ଯଦୁପୁର ଓ ବେଗୁନିଆ ଅଞ୍ଚଳକୁ ସଂକ୍ରମଣ ଭୟରେ ଗତ ୫ ତାରିଖରେ ସିଲ୍‌ କରାଯାଇଥିଲା। ଜନହିତ ପାଇଁ ବିଏମ୍‌ସି ଏହି ପଦକ୍ଷେପ ନେଇଥିବା ଏକ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଥିଲା। ସୁନ୍ଦରପଦାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବିଦେଶ ଗସ୍ତ ସହ ଯଦୁପୁର ଅଞ୍ଚଳରୁ କିଛି ବ୍ୟକ୍ତି ସମ୍ପୃକ୍ତ ଆକ୍ରାନ୍ତଙ୍କ ସଂସ୍ପଶର୍ର୍ରେ ଆସିଥିବା ଭୟରେ ଆପାତକାଳୀନ ସ୍ଥିତିରେ ଉଭୟ ଅଞ୍ଚଳକୁ ସିଲ୍‌ କରାଯିବା ସହ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଥିଲା।