ସୁନ୍ଦରଗଡ଼ ଜିଲାପାଳ ଦେଲେ ତଥ୍ୟ: ୧୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଆର୍‌ଜିଏଚ୍‌ର ୨ ଡାକ୍ତର, ୬ କଏଦୀ

ସୁନ୍ଦରଗଡ଼,୭।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣଙ୍କ ପକ୍ଷରୁ ଖବରଦାତା ସମ୍ମିଳନୀରେ ତଥ୍ୟ ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୫ଜଣ ପୁରୁଷ ଓ ୩ ମହିଳା ଅଛନ୍ତି। ତେବେ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)ର ଦୁଇ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ସେମାନେ କୋଭିଡ୍‌ ଓ ପରେ ମେଡିକାଲ ଡ୍ୟୁଟିରେ ଥିଲେ। ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେମାନେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। କରୋନା ଚିହ୍ନଟ ପରେ ହସ୍ପିଟାଲ୍‌ ସାନିଟାଇଜ୍‌ କାର୍ଯ୍ୟ କରାଯାଇଛି। ସେହିଭଳି ଆକ୍ରାନ୍ତଙ୍କ ମଧ୍ୟରେ ସ୍ପେଶାଲ ଜେଲ୍‌ କ୍ୱାରାଣ୍ଟାଇନ୍‌ କେନ୍ଦ୍ରର ୬ଜଣ କଏଦୀ ରହିଛନ୍ତି ବୋଲି କୁହାଯାଇଛି। ତେବେ ପ୍ରଥମ ଥର ପାଇଁ ଜିଲାରେ ସର୍ବାଧିକ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ୨ ଡାକ୍ତର ଅଆଉ କେତେଜଣଙ୍କ ସଂସ୍ପର୍ଶରେ ଆସିଥିଲେ ଓ ଜେଲରେ ଥିବା କଏଦୀଙ୍କ ସଂସ୍ପର୍ଶରେ ଆସିଥିବା ପୋଲିସ ଓ ଜେଲ କର୍ମଚାରୀମାନଙ୍କ ମଧ୍ୟ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଛି।