ସୁନ୍ଦରଗଡ଼ର କୁମ୍‌ଝରିଆ ୟୁଜି ହାଇସ୍କୁଲକୁ ମିଳିଲା ଉତ୍କର୍ଷ ଶିକ୍ଷାକେନ୍ଦ୍ରର ମାନ୍ୟତା

କୁଆଁରମୁଣ୍ଡା,୨୯।୨(ଡି.ଏନ.ଏ)-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ଥିବା ବିଭିନ୍ନ ସରକାରୀ ହାଇସ୍କୁଲ ଓ ୟୁଜି ହାଇସ୍କୁଲଗୁଡିକ ମଧ୍ୟରୁ ୧୦୧ ସ୍କୁଲକୁ ଉତ୍କର୍ଷ ଶିକ୍ଷାକେନ୍ଦ୍ର ଭାବେ ବଛା ଯାଇଛି। ଏଥି ମଧ୍ୟରୁ ସୁନ୍ଦରଗଡ଼ ଜିଲାରେ ଥିବା ସମସ୍ତ ୟୁଜି ହାଇସ୍କୁଲଗୁଡିକ ମଧ୍ୟରୁ କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁମ୍‌ଝରିଆ ସରକାରୀ ୟୁଜି ହାଇସ୍କୁଲକୁ ଉତ୍କର୍ଷ ଶିକ୍ଷାକେନ୍ଦ୍ର ମାନ୍ୟତା ମିଳିଛି। ଗତ ସୋମବାର ତା୨୪।୨।୨୦୨୦ ରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠି ନଂ. ୪୩୦୬ରେ ଯୁଗ୍ମ ଶାସନ ସଚିବ ଡ.ପି.କେ ମିଶ୍ର ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ସୂଚନା ପ୍ରଦାନ କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଶୁକ୍ରବାର କୁମ୍‌ଝରିଆ ସରକାରୀ ୟୁଜି ହାଇସ୍କୁଲର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାମଲଙ୍କୁ ସ୍କୁଲ ପରିଚାଳନା ସମିତି ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ସମଗ୍ର ବ୍ଲକ ଓ ଜିଲାସ୍ତରରେ ସରକାରୀ ୟୁଜି ହାଇସ୍କୁଲଭାବେ କୁମ୍‌ଝରିଆ ୟୁଜିହାଇସ୍କୁଲ ଏହି ଗୌରବ ହାସଲ କରିପାରିଥିବାରୁ ଆଗାମୀ ଦିନରେ ଜାତି/ଜନଜାତି ବହୁଳ କୁଆଁରମୁଣ୍ଡା ବ୍ଲକ ସମେତ ସମଗ୍ର ଜିଲା ଓ ଜିଲା ବାହାରର ଛାତ୍ରୀଛାତ୍ର ଶିକ୍ଷା କ୍ଷେତ୍ରରେ ବିଶେଷଭାବେ ଅଗ୍ରଗତି କରିପାରିବେ। ଉକତ୍ର୍ଷ ଶିକ୍ଷା କେନ୍ଦ୍ରର ମାନ୍ୟତା ଲାଭ ପରେ ଏହି ସ୍କୁଲରେ ସ୍ବତନ୍ତ୍ର ବିଜ୍ଞାନାଗାର, ପ୍ରଗତିଶୀଳ ଇଂରାଜୀ ଶିକ୍ଷା ଓ କ୍ରୀଡା କ୍ଷେତ୍ରର ବିକାଶ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉନ୍ନତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ସ୍କୁଲର ଏହି ଗୌରବ ହାସଲ ପାଇଁ ସମସ୍ତ ଶିକ୍ଷୟିତ୍ରୀ/ଶିକ୍ଷକ,ପରିଚାଳନା ସମିତି ସଦସ୍ୟ ଓ ଶୁଭେଛୁମାନଙ୍କର ସମ୍ମିଳିତ ଉଦ୍ୟମ ଯୋଗୁ ସମ୍ଭବ ହୋଇଛି ବୋଲି ପ୍ରଧାନ ଶିକ୍ଷକ ସାମଲ କହିଛନ୍ତି।